୩୦୦ କୋଟି ଟଙ୍କା ବ୍ୟୟରେ ୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍‌‌ ଟର୍ମିନାଲ

ଭୁବନେଶ୍ୱର (ସଂକେତ୍ ଟିଭି) ୩୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୦ ଜିଲ୍ଲାରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ଆରମ୍ଭ ହେବ। ଏଥିପାଇଁ ଜମି ଚିହ୍ନଟ ହୋଇ ସାରିଥିବା ବେଳେ ଅବିଳମ୍ବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି ନିର୍ମାଣ ଆରମ୍ଭ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କୁ ଚିଠି ଲେଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଏବଂ ଜଗତସିଂହପୁରରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ କରାଯିବ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଯେ ୧୦ଟି ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଛି। ଭାରତ ସରକାରଙ୍କ ଠାରୁ ହସ୍ତଗତ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଅର୍ଥ ବିଭାଗ ୩୦୦ କୋଟି ଟଙ୍କା ପ୍ରଦାନ କରିବେ। ଏପରିସ୍ଥଳେ ଡିପିଆର ପ୍ରସ୍ତୁତି ଓ ବ୍ୟୟ ଅଟକଳ ପ୍ରସ୍ତୁତ କରି ବିଭାଗକୁ ପ୍ରଦାନ କରିବା ପାଇଁ ଶ୍ରୀମତୀ ପାଢ଼ୀ କହିଛନ୍ତି। ପ୍ରସ୍ତାବିତ ଟ୍ରକ୍‌‌ ଟର୍ମିନାଲରେ ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସମେତ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଶୌଚାଳୟ ସୁବିଧା ଥିବା ଡର୍ମିଟୋରୀ, ପାନୀୟ ଜଳ ସୁବିଧା, ଫୁଡ୍‌‌ ପ୍ଲାଜା, କ୍ୟାଣ୍ଟିନ୍‌‌, ଟ୍ରକ୍‌‌ ମରାମତି ପାଇଁ ଗ୍ୟାରେଜ, ସୁରକ୍ଷାକର୍ମୀଙ୍କ କୋଠରୀ, କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଟ୍ରକ୍‌‌ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଦ୍ୱାର ରହିବ। ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନିଆଯିବ। ଅନ୍ୟ ରାଜ୍ୟରେ ନିର୍ମିତ ଟ୍ରକ୍‌‌ ଟର୍ମିନାଲର ଢ଼ାଞ୍ଚା ଅନୁସାରେ ଓଡ଼ିଶାରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତି ପାଢ଼ୀ ଜଣାଇଛନ୍ତି।

ରାସ୍ତାରେ ଟ୍ରକ୍‌‌ ରଖାଯିବା ଫଳରେ ବହୁ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟୁଛି। ବର୍ଷକୁ ହାରାହାରି ୫୦୦୦ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ସେଥିରୁ ୨୫% ମୃତ୍ୟୁ କେବଳ ରାସ୍ତାରେ ବେଆଇନ୍‌‌ ଭାବେ ଗାଡ଼ି ରଖିବା ଯୋଗୁଁ ଘଟୁଛି। ରାଜ୍ୟରେ ବାଣିଜ୍ୟିକ କାରବାର ବଢ଼଼ିଥିବା ବେଳେ ଓଡ଼ିଶାରେ ଥିବା ଜାତୀୟ ରାଜପଥ ଦେଇ ପ୍ରତିଦିନ ଲକ୍ଷାଧିକ ଟ୍ରକ୍‌‌ ଯାତାୟାତ କରୁଛନ୍ତି। ତେବେ ରହଣି ସ୍ଥଳ ଅଭାବରେ ଗାଡ଼ି ଚାଳକ ରାସ୍ତା କଡ଼ରେ ଟ୍ରକ୍‌‌ ରଖି ଚାଲି ଯାଉଛନ୍ତି।

ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁଯାୟୀ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ କରି ଗାଡ଼ି ଚାଳକ ଓ କର୍ମଚାରୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱାରୋପ କରିଛି। ସଡ଼କ ସୁରକ୍ଷା ଦୃଷ୍ଟିରୁ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ଏକାନ୍ତ ଆବଶ୍ୟକ ହୋଇଛି। ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅଧୀନରେ ଆବଶ୍ୟକତା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା।