ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍ : ୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି
ଝାରସୁଗୁଡ଼ା (ସଂକେତ୍ ଟିଭି) ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହାସଲ କରିଛନ୍ତି । ସେ ୪୮ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠିଙ୍କୁ ପରାସ୍ତ କରିଛନ୍ତି।
ସୂଚନା ଅନୁସାରେ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି। ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ। ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା। ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।
ବିପୁଳ ବିଜୟ ପରେ ଦୀପାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏଣେ ବିଜୟ ପରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଝାରସୁଗୁଡ଼ାବାସୀଙ୍କୁ ନିଜର କୃତଜ୍ଞତା ଜଣାଉଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ବିଜେଡିର ୩ ପର୍ଯ୍ୟବେକ୍ଷକ, ସମସ୍ତ ନେତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛି। ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି, ବିକାଶ ପାଇଁ ଠିଆ ହୋଇଛି। ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି। ଏହି ଅଞ୍ଚଳରେ ବିକାଶକୁ ଆଉ କେହି ଅଟକାଇ ପାରିବେନି। ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି।