କର୍ଣ୍ଣାଟକରେ କଂଗ୍ରେସର ବୃହତ ବିଜୟ, ଟ୍ବିଟରରେ ଟ୍ରେଣ୍ଡ କଲା ବିଜେପିମୁକ୍ତସାଉଥଇଣ୍ଡିଆ

ବେଙ୍ଗାଲୁରୁ (ସଂକେତ୍ ଟିଭି) ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିଛି । ଏଥିରେ କଂଗ୍ରେସ ୧୩୬ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମିଳିଛି ୬୫ ଆସନ । ଜେଡିଏସ୍ କୁ ୧୯ଟି ଆସନ ମିଳିଛି ।

ତେବେ ଆଜି ଭୋଟ ଗଣତି ଶେଷ ପର୍ଯ୍ୟାୟ ଆଡ଼କୁ ବଢ଼ୁଥିବା ବେଳେ ସୋସିଆଲ ମିଡିଆରେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହେବ ବୋଲି ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଟ୍ବିଟରରେ #ବିଜେପିମୁକ୍ତସାଉଥଇଣ୍ଡିଆ ଟ୍ରେଣ୍ଡ କରୁଥିବା ଦେଖାଯାଇଛି।
ତେବେ କର୍ଣ୍ଣାଟକରେ କଂଗ୍ରେସ ସରକାର ବିଜୟ ସହିତ ଏହା ସମ୍ଭବ ହୋଇଛି । ହାତଗଣତି କିଛି ଗଣମାଧ୍ୟମର ସର୍ଭେ ରିପୋର୍ଟକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରାକ୍ ସର୍ଭେରେ କର୍ଣ୍ଣାଟକରେ ଝୁଲା ବିଧାନସଭାର ସଙ୍କେତ ମିଳିଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଭିଜ୍ଞତା, ଡିକେ ଶିବ କୁମାରଙ୍କ ପରିଚାଳନା ଓ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହିଁ କଂଗ୍ରେସକୁ ବିଜୟର ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୫ରାଜ୍ୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକ ଦକ୍ଷିଣ ଭାରତ ରାଜ୍ୟ ଧାଡିରେ ଅନ୍ତର୍ଭୁକ୍ତ। ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ ବିଜେପି କ୍ଷମତାରେ ନଥିବା ବେଳେ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିଥିଲା। ଏବେ କର୍ଣ୍ଣାଟକ ନିର୍ବାଚନ ବିଜେପି ହାରିବା ପରେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହୋଇଯିବ। ଆନ୍ଧ୍ରପ୍ରଦେଶରେ ଓ୍ବାଇଏସଆରସିପି ସରକାର ଥିବା ବେଳେ ତାମିଲନାଡୁରେ ଡିଏମକେର ସରକାର, କେରଳରେ ସିପିଆଇ(ଏମ୍) ସରକାର ଓ ତେଲେଙ୍ଗାନାରେ ଟିଆରଏସ ସରକାର କ୍ଷମତାରେ ରହିଛନ୍ତି।

ସେପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ନେତାଙ୍କ ବିବୃତି ଆସିବା ଆରମ୍ଭ କରିଛି। କେହି କେହି ରାହୁଲ ଗାନ୍ଧୀ ଏବଂ ତାଙ୍କର ‘ଭାରତ ଯୋଡୋ ଯାତ୍ରା’କୁ କଂଗ୍ରେସର ବିଜୟର ଶ୍ରେୟ ଦେଉଥିବା ବେଳେ କେହି କେହି ଏହାକୁ ୨୦୨୪ପୂର୍ବରୁ’ ବିରୋଧୀ ଏକତା’ର ବାର୍ତ୍ତା ବୋଲି କହୁଛନ୍ତି।

କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ ଉପରେ ଦଳର ମୁଖପାତ୍ର ପବନ ଖେଡା କହିଛନ୍ତି, ଏଭଳି ନିର୍ବାଚନ ଫଳାଫଳ ରାତାରାତି ଆସେ ନାହିଁ। ଏହା ଭାରତ ଯୋଡୋ ଯାତ୍ରାରୁ ଆରମ୍ଭ ହୋଇ ୫ଗ୍ୟାରେଣ୍ଟି କାର୍ଡ ସହିତ ସମାପ୍ତ ହୋଇଥିଲା। ହନୁମାନଜୀଙ୍କର ଭକ୍ତମାନେ ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଚିତ ଜବାବ ଦେଇଛନ୍ତି। ଲୋକମାନେ ସେହି ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କଲେ ଯେଉଁଠାରେ ଈଶ୍ବରଙ୍କୁ ‘ବଜରଙ୍ଗ ଦଳ’ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ଯଦି ‘ବଜରଙ୍ଗ ଦଳ’କୁ ‘ବଜରଙ୍ଗ ବଲୀ’ଙ୍କ ସହିତ ତୁଳନା କରାଯାଏ ତେବେ ପରିଣାମ ଏଭଳି ହେବ।

ଅନ୍ୟପକ୍ଷରେ ହାର ମାନି ବୋମ୍ମାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ‘ବିଜେପି’ କର୍ମୀମାନଙ୍କର ବହୁ ଉଦ୍ୟମ ସତ୍ତ୍ବେ ଆମେ ସନ୍ତୋଷଜନ ଫଳ ପାଇବାକୁ ସମର୍ଥ ହେଲୁ ନାହିଁ। ସମ୍ପୂର୍ଣ୍ଣ ପରିଣାମ ପ୍ରକାଶ ପାଇବା ପରେ ଆମେ ସବିଶେଷ ସମୀକ୍ଷା କରିବୁ। ଏହି ଫଳାଫଳକୁ ଆଧାରଶିଳା କରି ଆମେ ଲୋକସଭା ନିର୍ବାଚନରେ ଜିଣିବାକୁ ଉଦ୍ୟମ କରିବୁ।