ଆଇଏସଆଇ ଲିଙ୍କରେ ଓଡିଶାରୁ ଧରାପଡିଲେ ୩ଜଣ, ଓଟିପି ପଠାଇ ପାକିସ୍ତାନକୁ କରୁଥିଲେ ସହଯୋଗ

ଭୁବନେଶ୍ୱର (ସଂକେତ୍ ଟିଭି) ପାକିସ୍ତାନ ଗୁଇନ୍ଦା ସହ ବା ଆଇଏସଆଇ ଭଳି ସଂସ୍ଥା ସହ ଲିଙ୍କ୍‌ ଥିବାରୁ ତିନି ଜଣ ଅପରାଧିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଗିରଫ କରିଛି । ସିମକାର୍ଡ ସଂଗ୍ରହ କରି ଓଟିପି ପଠାଇ ପାକିସ୍ତାନ ଏଜେଣ୍ଟ୍‌ଠାରୁ ଆର୍ଥିକ ଅନୁଦାନ ପାଉଥିବା ଅଭିଯୋଗ ହୋଇଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା ସୌମ୍ୟ ପଟ୍ଟନାୟକ ଓ ସରୋଜ କୁମାର ନାୟକ । ନୟାଗଡର ବିଭିନ ସ୍ଥାନରୁ ଏସ୍‌ଟିଏଫ୍‌ ଟିମ୍‌ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲ୍ୟାପ୍‌ଟପ୍ ଓ ସିମ୍‌କାର୍ଡ ସହ ଏଟିଏମ୍ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏସଟିଏଫ ସୂଚନା ଅନୁଯାୟୀ ଏହି ତିନି ଅଭିଯୁକ୍ତ ବେଆଇନ ଉପାୟରେ ଆକ୍ଟିଭ ସିମକାର୍ଡ ହାତଉଥିଲେ । ପରେ ସେହି ସିମ୍‌କାର୍ଡରୁ ପାକିସ୍ତାନକୁ ଓଟିପି ପଠାଉଥିଲେ‌ । ପାକିସ୍ତାନର ଏଜେଣ୍ଟ ଏହି ସବୁ ଆକ୍ଟିଭ ନମ୍ବର ଜରିଆରେ ବିଭିନ୍ନ ହ୍ବାଟସପ୍‌ଠୁ ଆରମ୍ଭ କରି ଟେଲିଗ୍ରାମ ଫେସ୍‌ବୁକ୍‌ ଫ୍ଲିପ୍‌କାର୍ଟରେ ଆକାଉଣ୍ଟ ଆକ୍ଟିଭ କରୁଥିଲେ । ପରେ ସେହି ଆକାଉଣ୍ଟ ଜରିଆରେ ବିଭିନ୍ନ ଦାୟିତ୍ବରେ ଥିବା ଦେଶ ସୁରକ୍ଷା ସମ୍ପର୍କିତ ତଥ୍ୟ ହାସଲ ପାଇଁ ହନିଟ୍ରାପ୍‌ ଭଳି ଜାଲ ବିଛାଇ ବିଭିନ୍ନ ଲୋକଙ୍କୁ ଟ୍ରାପ୍‌ କରୁଥିଲେ । ଅର୍ଥାତ୍ ଏହି ସବୁ ଆକାଉଣ୍ଟ ଜରିଆରେ ପାକିସ୍ତାନ ଏଜେଣ୍ଟ୍‌ ଆମ ଦେଶର ଲୋକଙ୍କୁ ମିଛ ପରିଚୟ ଦେଇ ବନ୍ଧୁତା ସ୍ଥାପନ ବା ବିଭିନ୍ନ ସୁନ୍ଦରୀ ଯୁବତୀଙ୍କ ଲୋଭନୀୟ ଅଫର ଦେଖାଇ ଫସାଇବା ପରେ ଦେଶ ବିରୋଧୀ କାର୍ଯ୍ୟ ରଚୁଥିଲେ ।

କେବଳ ସେତିକି ନୁହେଁ ଏହି ସବୁ ଓଟିପି ଜରିଆରେ ଆକ୍ଟିଭ ସୋସିଆଲ ମିଡ଼ିଆ ଜରିଆରେ ଦେଶରେ ଅରାଜକତା ସୃଷ୍ଟିକାରୀ ତଥ୍ୟ ପ୍ରସାର କରିବା ଓ ଦେଶ ବିରୋଧୀ ନାରା ମଧ୍ୟ ପ୍ରସାର କରୁଥିଲେ । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ଭଳି ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ପରିସ୍ଥିତି ଉପୁଜାଇବା ସୃଷ୍ଟି କରୁଥିଲେ । ଏପରିକି ଏହି ନମ୍ବର ବ୍ୟବହାର କରି ଦେଶର ବିଭିନ୍ନ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଦେଶ ବିରୋଧୀ ଯୋଜନା କରୁଥିଲେ ।

ତେବେ ଏହିସବୁ ପାଇଁ ଓଡ଼ିଶାରୁ ଥିବା ମୋବାଇଲ ନମ୍ବରରେ ଓଟିପି ପଠାଉଥିବା ବ୍ୟକ୍ତି ଆର୍ଥିକ ଅନୁଦାନ ପାଉଥିଲେ । ପାକିସ୍ତାନ ଏଜେଣ୍ଟ୍‌ଠାରୁ ବିଭିନ‌୍ନ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟ୍‌ରେ ଟଙ୍କା ମଧ୍ୟ ନେଉଥିଲେ । ସେସବୁ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ୍‌ ଜରିଆରେ ଟଙ୍କା ଉଠାଇଥିବା ଏଟିଏମ୍‌ ମଧ୍ୟ ଜବତ ହୋଇଛି । ତେବେ ଏମାନେ ଦୀର୍ଘଦିନ ଧରି ଏପରି କାମ କରୁଥିଲେ । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ସୂଚନା ଆଧାରରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।