ତିନିଦିନ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ : ୪୫ ଡ଼ିଗ୍ରୀ ଛୁଇଁବ ପାରା

ଭୁବନେଶ୍ୱର (ସଂକେତ୍ ଟିଭି) ରାଜ୍ୟରେ କାଲିଠାରୁ ତିନି ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ । ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ତାପମାତ୍ରା ଭୟଙ୍କର ଭାବେ ବୃଦ୍ଧି ପାଇବ ଓ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଏପରିକି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୫ ଡ଼ିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଆସନ୍ତା ୧୯ତାରିଖ ଯାଏଁ ହିଟୱେଭ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ଖରା ସମୟରେ ଜରୁରୀ କାମ ନ ଥିଲେ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ବାହାରକୁ ଗଲେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।