ମଣିଷ ରହିବା ପାଇଁ ନାସାକୁ ମିଳିଲା ଆଉ ଦୁଇଟି ଗ୍ରହ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବୈଜ୍ଞାନିକମାନଙ୍କୁ ମଣିଷ ରହିବା ପାଇଁ ଆଉ ଦୁଇଟି ଗ୍ରହ ମିଳିଛି । ଏହା ଆମ ପୃଥିବୀ ପରି ଆକାରରେ ବଡ ଏବଂ ଓଜନିଆ । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ଟେସ୍ ସ୍ପେସ୍କ୍ରାଫ୍ଟ ଦୁଇଟି ଏକ୍ସପ୍ଲାନେଟ୍କୁ ଖୋଜି ବାହାର କରିଛି । ଯେଉଁଠାରେ ଜୀବନଧାରଣର ସମ୍ଭାବନା ରହିଛି । କାରଣ ଏହି ଦୁଇଟି ଗ୍ରହ ସେମାନଙ୍କ ତାରାଠାରୁ ଭଲ ଦୂରତାରେ ଅଛନ୍ତି । ଯେଉଁଥିରେ ଜୀବନ ବଞ୍ଚିପାରିବ ।
ଏହି ଦୁଇଟି ଗ୍ରହ ହେଉଛି ସୁପର ଆର୍ଥ । ଅର୍ଥାତ୍ ଦୁଇଟି ଯାକ ଆକାରରେ ପୃଥିବୀଠାରୁ ବଡ଼ । ଉଭୟ ଗ୍ରହର ନାମ ହେଉଛି TOI-2095b ଏବଂ TOI-2095c । ବର୍ତ୍ତମାନ ଏହି ଗ୍ରହ ଉପରେ ଅଧିକ ଅଧ୍ୟୟନ କରାଯାଉଛି । TOI-2095b ନିଜ ତାରାଠାରୁ ଦୂରତା ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତାର ଏକ ଦଶମାଂଶ ଅଟେ । ଏହି ଗ୍ରହ ଆମ ପୃଥିବୀ ଅପେକ୍ଷା ୧.୩୯ଗୁଣ ଅଧିକ ଚଉଡା । କିନ୍ତୁ ଏହାର ଓଜନ ପୃଥିବୀଠାରୁ ୪.୧ ଗୁଣ ଅଧିକ । ଏହି ଗ୍ରହ ତା ତାରାର ଏକ ରାଉଣ୍ଡ ୧୭.୭ ପୃଥିବୀ ଦିନରେ ସମାପ୍ତ କରିଥାଏ ।
ଦ୍ୱିତୀୟ ଗ୍ରହ TOI-2095c । ଏହା ସୂର୍ଯ୍ୟଠାରୁ ଟିକେ ଦୂରରେ ରହିଛି । ଏହି ଗ୍ରହରେ ଗୋଟିଏ ଦିନ, ଆମର ୨୮.୨ ଦିନ ସହ ସମାନ । ଏହା ଆମ ପୃଥିବୀଠାରୁ ୧.୩୩ ଗୁଣ ବଡ଼ ହୋଇଥିବା ବେଳେ ଏହାର ଓଜନ ୭.୫ଗୁଣ ଅଧିକ । କିନ୍ତୁ ଉଭୟ ଗ୍ରହର ଭୂପୃଷ୍ଠର ତାପମାତ୍ରା ୨୪ ରୁ ୭୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି ।
ଯେତେବେଳେ ଟେସ୍ ସ୍ପେସ୍କ୍ରାଫ୍ଟ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ ଅନୁସନ୍ଧାନରେ ବାହାରିଥିଲା, ସେତେବେଳେ ସୌରମଣ୍ଡଳରୁ ୧୩୭ ଆଲୋକ ବର୍ଷ ଦୂରରେ ଏକ ରେଡ୍ ଡ୍ରବାର୍ଫ ତାରା ଅର୍ଥାତ୍ ସୂର୍ଯ୍ୟ ପରି ତାରା TOI-2095କୁ ଦେଖିଥିଲା । ଏହା ବ୍ରହ୍ମାଣ୍ଡର ବୃହତ୍ତମ ତାରକାମାନଙ୍କ ପରିବାରରୁ ଆସିଥାଏ । ଏହି ଗ୍ରହ ଆମ ସୂର୍ଯ୍ୟ ଅପେକ୍ଷା ଥଣ୍ଡା ଅଟେ । କିନ୍ତୁ ଏହା ବହୁତ ରେଡିଏସନ୍, ଅଲଟ୍ରା ଭାଇଓଲେଟ୍ ବା ଅତି ବାଇଗଣୀରଶ୍ମୀ ଏବଂ ଏକ୍ସ-ରେ ତରଙ୍ଗ ନିର୍ଗତ କରୁଛି ।
ଗ୍ରହରୁ ବାହାରୁଥିବା ରେଡିଏସନ୍ ନିକଟରେ ରହୁଥିବା ଗ୍ରହମାନଙ୍କର ବାୟୁମଣ୍ଡଳକୁ ନଷ୍ଟ କରିପାରେ । କିନ୍ତୁ ଏହି ଦୁଇଟି ଗ୍ରହ ଏତେ ଭଲ ଦୂରତାରେ ଅଛି ଯେ ସେମାନଙ୍କର ବାୟୁମଣ୍ଡଳ ସୃଷ୍ଟି ହୋଇଛି । ଆଶା କରାଯାଉଛି କି ପୃଥିବୀ ପରି ସେଠାରେ ମଧ୍ୟ ଜଳ ଅଛି । ଭବିଷ୍ୟତରେ ଏହି ଗ୍ରହମାନଙ୍କରେ ମାନବ ବସତି ସ୍ଥାପନ କରାଯାଇପାରିବ ।
ସ୍ପେନ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଫେଲିପ ମୁର୍ଗାସ କହିଛନ୍ତି ଯେ, ଆମେ ଏହି ଦୁଇଟି ଗ୍ରହ ବିଷୟରେ ଅଧ୍ୟୟନ କରୁଛୁ। ସେମାନଙ୍କ ବିଷୟରେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାରେ ଜୀବନଧାରଣ କରିବା ସମ୍ଭବ। ସେଥିପାଇଁ ଆମେ ଅଧିକ ଗବେଷଣା କରୁଛୁ । ଯାହା ଦ୍ବାରା ଅଧିକରୁ ଅଧିକ ସୂଚନା ମିଳିପାରିବ ।