ଆର ପାରିକୁ ଯାତ୍ରା କଲେ ଯାତ୍ରା ନାୟକ ଜୟନ୍ତ ମହାପାତ୍ର
ଭୁବନେଶ୍ୱର (ସଂକେତ୍ ଟିଭି) ଆର ପାରିରେ ଯାତ୍ରା ନାୟକ ଜୟନ୍ତ ମହାପାତ୍ର । ଗତକାଲି ରାତିରେ ତାଙ୍କର ପରଲୋକ ହୋଇ ଯାଇଛି । ଆଉ ତାଙ୍କ ମୃତ୍ୟୁପରେ ବନ୍ଦ ହୋଇଯାଇଥିଲା ନାଟକ । ଗତକାଲି ରାତିରେ ନାଟକ ହେବାର ଥିଲା – ଫଗୁଣ ଦେଇଛି ଦୁଃଖ ଛଗୁଣ । ମେଲୋଡି ଚାଲିଥିଲା ଆଉ କଳାକାରମାନେ ନିଜକୁ ପ୍ରସ୍ତୁତ କରୁଥିଲେ । ଯାତ୍ରାମଂଚକୁ ଯିବା ପାଇଁ ହିରୋ ଜୟନ୍ତ ମହାପାତ୍ର ଗ୍ରୀନରୁମରେ ମେକଅପ୍ ନେଉଥିଲେ । ହଠାତ୍ ଅସୁସ୍ଥ ହୋଇ ପଡିଲେ , ଆଉ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦିଆଗଲା , ଜୟନ୍ତଙ୍କ ଅନୁପସ୍ଥିତି ଯୋଗୁଁ ନାଟକ ବଦଳାଇବାକୁ ପଡିଲା । ଫଗୁଣ ଦେଇଛି ଦୁଃଖ ଛଗୁଣ ବଦଳରେ ଭାଇ ସାତପର ଭାରିଜା ନିଜର ନାଟକ ମଂଚସ୍ଥ ହେଲା । ଆଉ ଦର୍ଶକ ବି ସମର୍ଥନ କଲେ । ମାତ୍ର ତିନିଟା ସିନ୍ ପରେ ଖବର ଆସିଲା ଜୟନ୍ତ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ସମସ୍ତେ ସ୍ତବ୍ଧ ହୋଇଗଲେ । ନାଟକ ତ ବନ୍ଦ ହୋଇଗଲା , ଟିକେଟ କାଟି ଯାତ୍ରା ଦେଖୁଥିବା ଦର୍ଶକ ଦୁଃଖରେ କାନ୍ଦି ବି ପକାଇଥିଲେ । ସବୁ କଳାକାର ଆସିଥିଲେ ଜୟନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ । ମୃତ ଜୟନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ରାଜବରହମପୁର ଅଂଚଳରେ । ଆଜି ତାଙ୍କ ମରଶରୀର ନିଜ ଗାଁକୁ ଯାଇଛି । ପାର୍ବତୀ ଗଣନାଟ୍ୟର ଅଦିନ ଝଡ ନାଟକ ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ଆଉ ଗତକାଲି ରାତି ଥିଲା ତାଙ୍କ ଜୀବନ ନାଟକର ଶେଷ ଅଙ୍କର ଶେଷ ଦୃଶ୍ୟ ।