କେବେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଭୁବନେଶ୍ୱର (ସଂକେତ୍ ଟିଭି) ବାଚସ୍ପତି ପଦରୁ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଏବଂ ମନ୍ତ୍ରୀ ପଦରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଭିନ୍ନ ମହଲରେ ଅଙ୍କକଷା ଆରମ୍ଭ ହୋଇଛି । ନବ ଦାସଙ୍କ ହତ୍ୟ। ପରେ ଖାଲି ପଡ଼ିଥିବା ଗୋଟିଏ ମନ୍ତ୍ରୀ ପଦ ସହ ମୋଟ ୩ଟି ମନ୍ତ୍ରୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୋଟଧରଣର ସମ୍ପ୍ରସାରଣ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏବେ ଆଉ ୨ରୁ ୩ଜଣ ମନ୍ତ୍ରୀଙ୍କୁ ଭୁବନେଶ୍ୱ୍‌ର ନଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

୧୯ ତାରିଖ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି । କିଛି ମନ୍ତ୍ରୀଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବା ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଖାଲି ପଡିଥିବା ୩ଟି ମନ୍ତ୍ରୀପଦରେ କେଉଁମାନେ ଅବସ୍ଥାପିତ ହେବେ ଏହି ଚର୍ଚ୍ଚାର ଆଗରେ ରହିଛି ଦୀପାଳି ଦାସଙ୍କ ନାଁ । ବାପାଙ୍କ ଦେହାନ୍ତ ପରେ ଖାଲି ପଡିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଦୀପାଳିଙ୍କୁ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପଶ୍ଚିମଓଡିଶାର କିଛି ଟାଣୁଆ ନେତାଙ୍କୁ ପୁରସ୍କୃତ କରିବା ନେଇ ଚର୍ଚ୍ଚା ହେଉଛି । ପୁଣି ଗଣଶିକ୍ଷା ଓ ଶ୍ରମମନ୍ତ୍ରୀ ପଦ ଗଂଜାମ ଜିଲ୍ଲାକୁ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଚର୍ଚ୍ଚା ଅନୁସାରେ, ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଝାରସୁଗୁଡା ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ପୁରସ୍କୃତ କରିପାରନ୍ତି ବିଜେଡି ସୁପ୍ରିମୋ । ତାଙ୍କୁ ମିଳିପାରେ ମନ୍ତ୍ରୀପଦ । ସେହିଭଳି ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗଞ୍ଜାମ ଜିଲ୍ଲାର ଦବଦବା ରହିଛି । ଜିଲ୍ଲାରୁ ଭଂଜନଗର ବିଧାୟକ ବାଚସ୍ପତି ହୋଇଥିବା ବେଳେ ଚିକିଟି ବିଧାୟିକା ଉଷାଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ଥିଲେ । ଏବେ ବିକ୍ରମ ଆରୁଖ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଉଷାଦେବୀ ହିଁ ମନ୍ତ୍ରୀ ଅଛନ୍ତି । ତେଣୁ ଗଂଜାମକୁ ମନ୍ତ୍ରୀପଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କୁହାଯାଉଛି, ଜିଲ୍ଲାର ୨ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧି ମିଳିପାରେ । ଆଉ ରେସରେ ଆଗରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ବାଚସ୍ପତି ରେସରେ ୩ ବରିଷ୍ଠ ବିଧାୟକଙ୍କ ନାଁ ଚର୍ଚ୍ଚାରେ ରହିଛି । ସେମାନେ ହେଲେ ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ ସାମଲ । ତେବେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କେବେ ହେବ ଓ କିଏ ସାମିଲ ହେବ ସେ ନେଇ କିଛି ବି ସ୍ପଷ୍ଟ ସଙ୍କେତ ମିଳିନାହିଁ । ସେପଟେ କିଛି ବିଧାୟକ ଦୁବାଇ ଗସ୍ତରେ ଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟ ବାହାରେ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଯଦି ସମୟ ନିର୍ଦ୍ଧାରିତ ହୁଏ, ତାଙ୍କର ଭୁବନେଶ୍ୱର ଫେରିବାରେ ସମସ୍ୟା ନାହିଁ । ନଚେତ ରାଜ୍ୟପାଳ ୨୨ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ରାଜଭବନ ପକ୍ଷରୁ ଜଣାପଡ଼ିଛି ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମେ ୧୯ତାରିଖ ପରେ ଓ ମେ ୨୯ ତାରିଖ(ସରକାରର ୪ର୍ଥ ବର୍ଷ ପୂର୍ତ୍ତି ) ପୂର୍ବରୁ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।