କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମେୟା, ଉପମୁଖ୍ୟମନ୍ତ୍ରୀ ହେବେ ଶିବକୁମାର
ନୂଆଦିଲ୍ଲୀ (ସଂକେତ୍ ଟିଭି) ବରିଷ୍ଠ ନେତା ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ । କର୍ଣ୍ଣାଟକର କଂଗ୍ରେସର ରାଜ୍ୟ ସଭାପତି ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ସମ୍ମତ ହୋଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି । ଏହି ସହିତ ଦୀର୍ଘ ଚାରି ଦିନ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରିତ୍ବକୁ ନେଇ ଜାରିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମେ ୨୦ରେ ବେଙ୍ଗାଲୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ବୁଧବାର ଦିନ ତମାମ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ଶୀର୍ଷ ପଦବୀକୁ ନେଇ ନିଷ୍ପତ୍ତି ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିବାପରେ ପୁଣିଥରେ ପୃଥକ୍ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଶେଷରେ ରାହୁଲ ଗାନ୍ଧି ଓ ଖାଡଗେଙ୍କ ସହ ଏକତ୍ର ବୈଠକ ପରେ ସମାଧାନର ସୂତ୍ର ବାହାରିଥିଲା। ତେବେ ସିଦ୍ଦରମେୟାଙ୍କ ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଅଧିକାଂଶ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ଥିଲା ବୋଲି ଚର୍ଚ୍ଚା ହେଉଥିଲା।