ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପୁରୀ (ସଂକେତ୍ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୀରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ । ସେ କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ଏହି ଟ୍ରେନ୍ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ। ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବି ବଢ଼ିବ।

ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧାରୋଡ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ । ଉକ୍ତ ଟ୍ରେନ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟନକୁ ତ୍ୱରାନ୍ୱିତ କରିବା ସହ ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନମ୍ବର ୨୨୮୯୬ ରହିଛି । ଗୁରୁବାରକୁ ବାଦ୍‌ ଦେଲେ ଏହା ଅନ୍ୟ ସବୁ ଦିନ ଚଳପ୍ରଚଳ କରିବ । ଟ୍ରେନ୍‌ରେ ସମୁଦାୟ ୧୮ଟି ବଗି ଅଛି । ସକାଳ ୬ଟା ୧୦ରେ ଏହା ହାୱଡ଼ାରୁ ଛାଡ଼ିବ । ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ରହି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ । ପରେ ୧ଟା ୫୦ରେ ପୁରୀରୁ ବାହାରି ୮ଟା ୩୦ରେ କୋଲକାତାରେ ପହଞ୍ଚିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ସେହିପରି ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ।