୫ବର୍ଷରେ ୬ଥର ଫରେନ୍ ଟ୍ରିପ୍ ଓ ମୁମ୍ବାଇରେ ୪ ଫ୍ଲାଟ୍ କରିଛନ୍ତି ସମୀର ୱାଙ୍ଖଡେ
ମୁମ୍ବାଇ (ସଂକେତ୍ ଟିଭି) ପୂର୍ବତନ ଏନସିବି ମୁଖ୍ୟ ଥିବା ସମୀର ୱାଙ୍ଖଡେ ୫ ବର୍ଷ ଭିତରେ ମୁମ୍ବାଇରେ ୪ଟି ଫ୍ଲାଟ୍ କିଣିଛନ୍ତି । ଏହା ସହିତ ସେ ୬ ଥର ବିଦେଶ ଗସ୍ତ କରିଥିବା ଜଣାପଡ଼ିଛି । ବ୍ରିଟେନ ଆୟରଲାଣ୍ଡ ପର୍ତ୍ତୁଗାଲ ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପ ଆଦି ଗସ୍ତ କରିବା ସହ ସେଠାରେ ସେ ୫୫ଦିନ ଧରି ରହିଥିଲେ ।
ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ଭିଜିଲାନ୍ସ ରିପୋର୍ଟରେ ସମୀର ୱାଙ୍ଖଡେଙ୍କୁ ନେଇ ଏହି ବଡ଼ ଖୁଲାସା କରିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୱାଙ୍ଖଡେ ୨୨ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଦାମି ଘଣ୍ଟା ବ୍ୟବହାର କରୁଥିବାବେଳେ ଲକ୍ସରିଅସ ଲାଇଫ ଷ୍ଟାଇଲ ବିତାଉଥିଲେ।
ୱାଙ୍ଖଡେ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ କେସ୍ ଭଳି ଅନେକ ହାଇପ୍ରୋଫାଇଲ କେସର ଦାୟିତ୍ବ ନେଇଆସିଛନ୍ତି । ଅକ୍ଟୋବର ୨୦୨୧ରେ କ୍ରୁଜ ସିପରେ ରେଡ୍ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ୱାଙ୍ଖଡେଙ୍କ ନାଁରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୫କୋଟି ଲାଞ୍ଚ ମାଗିବା ଭଳି ଅଭିଯୋଗ ରହିଥିଲା । ଲାଞ୍ଚ ନ ଦେବାରରୁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା ହେଲେ ପ୍ରକୃତ ଅଭିଯୁକ୍ତଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏପରିକି ଆର୍ଯ୍ୟନ ଗିରଫ ହେବାର କିଛି ଘଣ୍ଟା ପରେ କେ ପି ଗୋସାଭି ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୫୦ଲକ୍ଷ ଟଙ୍କା ୱାଙ୍ଖଡେଙ୍କୁ ଦିଆଯାଇଛି ବୋଲି ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଡଲାନି କହିଛନ୍ତି ।
ଅପରପକ୍ଷେ ପୂର୍ବତନ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ଏବଂ ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୨୨ଲକ୍ଷ ୭୫ ହଜାର ହୋଇଥିବା ନେଇ ରିପୋର୍ଟରେ ଏନସିବି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂ ଉଲ୍ଲେଖ କରିଛନ୍ତି। ସେପଟେ ସିବିଆଇ ଦାଖଲ କରିଥିବା ତଥ୍ୟ ବିରୋଧରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ୱାଙ୍ଖଡେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି ।
ଏହାସହ ତଦନ୍ତ କରୁଥିବା ଏନସିବି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂଙ୍କ ନାଁରେ ପାଲଟା ଅଭିଯୋଗ କରି ତାଙ୍କୁ କ୍ରସ ଏକ୍ସାମିନେସନ କରିବାକୁ କୋର୍ଟଙ୍କୁ ସମୀର ୱାଙ୍ଖଡେ ନିବେଦନ କରିଛନ୍ତି । ତେବେ ବଲିଉଡ ସେଲିବ୍ରିଟିମାନେ ଡ୍ରଗ୍ସର ବ୍ରାଣ୍ଡ ଅମ୍ବାସଡ଼ର ପାଲଟିଛନ୍ତି ବୋଲି ସେ କହିଛନ୍ତି । ତେବେ ଜଷ୍ଟିସ ଆରିଫ ଏସ ଡକ୍ଟରଙ୍କ ଅନୁପସ୍ଥିତି ଯୋଗୁ ପ୍ରାଥମିକତା ଭିତ୍ତିରେ ଜଷ୍ଟିସ ଶର୍ମିଲା ଦେଶମୁଖ୍ ଖୁବଶୀଘ୍ର ମାମଲାର ଶୁଣାଣି କରିବେ ।