୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ବିଲିୟନ୍ ଡଲାର୍ ଧୋକା : ମମତା ବାନାର୍ଜୀ
ନୂଆଦିଲ୍ଲୀ (ସଂକେତ୍ ଟିଭି) କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେବା ନିଷ୍ପତ୍ତିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଥିଲେ । ଏହା ଏକ ‘ବିଲିୟନ୍ ଡଲାର୍ ଧୋକା’ ବୋଲି ସେ କହିଛନ୍ତି।
୨୦୧୬ରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣ ଭୋଗିଥିବା ଅଭୁଲା ଦୁର୍ଦ୍ଦଶା କଥା ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଟୁଇଟ୍ କରି କହିଛନ୍ତି, ଏଇଟା ୨୦୦୦ ଟଙ୍କିଆ ‘ଧମାକା’ ନୁହେଁ, ୧୦୦ କୋଟି ଭାରତୀୟଙ୍କ ପ୍ରତି ‘ବିଲିୟନ୍ ଡଲାର୍ ଧୋକା’। ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ। ବିମୁଦ୍ରିକରଣ ସମୟରେ ଭୋଗିଥିବା ଦୁର୍ଦ୍ଦଶା ଆମେ ଭୁଲିପାରିବା ନାହିଁ। ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ।
ସୂଚନା ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଶୁକ୍ରବାର ଦିନ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ବନ୍ଦ କରି ତାହାକୁ ପ୍ରତ୍ୟାହାର କରିନେବା ଘୋଷଣା କରିଥିଲା।