କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା
ବେଙ୍ଗାଲୁରୁ (ସଂକେତ୍ ଟିଭି) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହିତ ୮ ଜଣ ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ସିଦ୍ଧରମୈୟା ଓ ଶିବକୁମାରଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନେ ହେଲେ ଜି ପରମେଶ୍ୱର, କେଜେ ଜର୍ଜ, କେ.ଏଚ ମୁନିୟପ୍ପା, ସତୀଶ ଜରକିହୋଲି, ଜମିର ଅହମ୍ମଦ, ରାମଲିଙ୍ଗା ରେଡ୍ଡୀ, ବି.କେ ହରିପ୍ରସାଦ ଏବଂ ଏମ.ବି ପାଟିଲ ଅଛନ୍ତି। ଏହି ୮ ନେତାଙ୍କ ମଧ୍ୟରେ ଥିବା ଜି ପରମେଶ୍ୱର ଜଣେ ବରିଷ୍ଠ କଂଗ୍ରେସ ନେତା। ଜି ପରମେଶ୍ୱରଙ୍କୁ କର୍ନାଟକରେ କଂଗ୍ରେସର ମୁଖ୍ୟ ଅନୁସୂଚିତ ଜାତି ମୁଖ ଭାବରେ ବିବେଚନା କରାଯାଏ। ପରମେଶ୍ୱର ଏଚ୍ଡି କୁମାର ସ୍ବାମୀଙ୍କ ନେତୃତ୍ୱରେ କଂଗ୍ରେସ-ଜେଡିଏସ ମିଳିତ ସରକାର ସମୟରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦୀର୍ଘ ସମୟ ଧରି କର୍ନାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ। ମନ୍ତ୍ରୀ ପଦ ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କାଙ୍କ ନାଁ ମଧ୍ୟ ସାମିଲ ରହିଛି।
ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ହିମାଚଳର ସୁଖବିନ୍ଦର ସିଂହ ସୁଖୁ ଏମକେ ଷ୍ଟାଲିନ ହେମନ୍ତ ସୋରେନ ଅଶୋକ ଗେହଲଟ ପ୍ରମୁଖ ସାମିଲ ହୋଇଥିଲେ ।