ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟ ସରକାର ଏଣିକି ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ବହନ କରିବେ । ଚଳିତ ବର୍ଷଠାରୁ ରାଜ୍ୟ ସରକାର ଏହା ଅର୍ଥ ବହନ କରିବାକୁ ଯାଉଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏ ନେଇ ଆଜି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମବାୟ ବିଭାଗର ସମୀକ୍ଷା କରିଛନ୍ତି । ବିଭାଗର ସମୀକ୍ଷା ପରେ ସାମ୍ବାଦିକମାନଙ୍କୁ ସମବାୟ ମନ୍ତ୍ରୀ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷଠାରୁ ଚାଷୀମାନଙ୍କର ବୀମା ପ୍ରିମିୟମ ଅର୍ଥ ସରକାର ବହନ କରିବେ । ବର୍ତ୍ତମାନ ରାଜ୍ୟରେ ୧୦ରୁ ୧୨ ଲକ୍ଷ ଚାଷୀ ଫସଲ ବୀମାରେ ଅର୍ନ୍ତଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉନାହାନ୍ତି । ସେମାନେ ଚାହିଁଲେ ମଧ୍ୟ ଏହା ପରିସରକୁ ଆସିପାରୁ ନାହାନ୍ତି । ତେଣୁ ତାହାକୁ ବିଚାର କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଫସଲ ବୀମାରେ ଯେକୌଣସି ଚାଷୀ ନିଜକୁ ପଞ୍ଜିକୃତ କରିପାରିବେ ।
ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା କହିଛନ୍ତି ରାଜ୍ୟରେ ଫସଲବୀମା କାର୍ଯ୍ୟକାରୀ ପାଇଁ ତିନିଟି କମ୍ପାନୀ ସହିତ ରାଜିନାମା ହୋଇଥିଲା । ତାହାର ଅବଧି ଚଳିତ ବର୍ଷ ପୂରଣ ହୋଇଛି । ତେଣୁ ଟେଣ୍ଡର ଜରିଆରେ ଆଗାମୀ ତିନିବର୍ଷ ପାଇଁ ନୂଆ କମ୍ପାନୀ ଚିହ୍ନଟ କରାଯିବ । ଚାଷୀମାନଙ୍କୁ ଫସଲବୀମା ଅର୍ଥ ପ୍ରଦାନ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ । କାରଣ ଫସଲ କ୍ଷତି ଆକଳନ ପାଇଁ ଏବେ ସାଟେଲାଇଟ ଜ୍ଞାନକୌଶଳ ଉପଯୋଗ କରାଯାଉଛି । ଆସନ୍ତାବର୍ଷ ଏହା ଜରିଆରେ ୪୦ ଫସଲ କ୍ଷତି ଆକଳନ କରାଯିବାର ଥିବାବେଳେ ଏହା ପର ବର୍ଷ ୫୦ କରାଯିବ ।