୧୦୬ଟି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ
ଭୁବନେଶ୍ବର (ସଂକେତ୍ ଟିଭି) ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଶେଷ ଭାବରେ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।
ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇବ । ସମ୍ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି । ତେବେ ନାମ ଲେଖାଇବା ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ୧୦୦ ଗୋଟି ବିଦ୍ୟାଳୟରେ କଳା ବିଭାଗ ଥିବା ସ୍କୁଲ ଅନୁଗୁଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ ୨ଟି ଭଦ୍ରକରେ ଗୋଟିଏ ବଲାଙ୍ଗୀରରେ ୮ଟି ଦେଓଗଡ଼ରେ ୪ଟି ବୌଦ୍ଧରେ ୨ଟି କଟକରେ ୨ଟି ଢ଼େଙ୍କାନାଳରେ ଗୋଟିଏ ଗଜପତିରେ ୨ଟି ଗଞ୍ଜାମରେ ନଅଟି ଜଗତସିଂହପୁରରେ ୨ଟି ଯାଜପୁରରେ ଗୋଟିଏ ଝାରସୁଗୁଡ଼ାରେ ଗୋଟିଏ କଳାହାଣ୍ଡିରେ ୮ଟି କନ୍ଧମାଳରେ ୪ଟି ବିଦ୍ୟାଳୟରେ କଳାବିଭାଗ ରହିବ ।
ସେହିପରି କେନ୍ଦ୍ରାପଡ଼ାରେ ୨ଟି କେନ୍ଦୁଝରରେ ୬ଟି ଖୋର୍ଦ୍ଧାରେ ଗୋଟିଏ କୋରାପୁଟରେ ୪ଟି ମାଲକାନଗିରିରେ ୬ଟି ମୟୂରଭଞ୍ଜରେ ୨ଟି ନବରଙ୍ଗପୁରରେ ୭ଟି ନୟାଗଡ଼ରେ ଗୋଟିଏ ନୂଆପଡ଼ାରେ ୬ ଟି ପୁରୀରେ ଗୋଟିଏ ରାୟଗଡ଼ାରେ ୪ଟି ସୋନପୁରରେ ଗୋଟିଏ ସମ୍ବଲପୁରରେ ୪ଟି ଏବଂ ସୁନ୍ଦରଗଡରେ ୬ଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମଲେଖା । ଅନ୍ୟପଟେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ରାୟଗଡ଼ା କୋରାପୁଟ ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲ ନବରଙ୍ଗପୁରରେ ଦୁଇଟି ସ୍କୁଲରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ ।