ଶିକ୍ଷୟିତ୍ରୀ ମା କୁ ଅତି ବିଭତ୍ସଭାବେ ହତ୍ୟା କଲା ପୁଅ

ପାରାଦୀପ (ସଂକେତ୍ ଟିଭି) ନିଜ ମା’କୁ ଅତି ବିଭତ୍ସଭାବେ ହତ୍ୟା କଲା ନୃଶଂସ ପୁଅ । ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଏହି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ସୁଲୋଚନା ଦେଇଙ୍କର ମୃତ୍ୟୁ ଘଟିଛି। ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ପୁଅ ମାନସିକ ବିକୃତ ଥବା ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ସୁଲୋଚନାଙ୍କ ମା’ଙ୍କର ଶ୍ରାଦ୍ଧ ଥିଲା ଏବଂ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଯାଇଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଘଟିଛି । ନୂଆଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ସୁଲୋଚନା ସକାଳୁ ପୂଜା ସାରି, ପୂଜା ପାଣି ଛିଞ୍ଚି ଥିଲେ ପୁଅ ଅଂଶୁମାନ ଉପରକୁ। ଏହି ସମୟରେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।