ନୂଆ ସଂସଦ ଭବନ ଉଦ୍ଘାଟନ ବର୍ଜନ କରିବେ ୧୯ ବିରୋଧୀ ଦଳ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆସନ୍ତା ୨୮ରେ ନୂତନ ସଂସଦ ଭବନ ଉଦଘାଟିତ ହେବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଏଥିପାଇଁ ନିୟନ୍ତ୍ରଣ ପତ୍ର ଜାରି ହୋଇଛି । ହେଲେ ଏହି ଉଦଘାଟନୀ ଉତ୍ସବକୁ କଂଗ୍ରେସ, ‘ଆପ୍’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍) ସମେତ ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ଆଜି ଘୋଷଣା କରିଛନ୍ତି।
ବିବୃତ୍ତିରେ କୁହାଯାଇଛି ଯେତେବେଳେ ସଂସଦରୁ ଗଣତନ୍ତ୍ରର ଆତ୍ମା ବାହାର କରିଦିଆଯାଇଛି ସେତେବେଳେ ନୂଆ ଭବନର କୌଣସି ମୂଲ୍ୟ ନାହିଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନର ଉଦଘାଟନ କରାଯିବା ନିଷ୍ପତ୍ତି କେବଳ ଅପମାନଜନକ ନୁହେଁ ବରଂ ଆମ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ । ଏଭଳି ଅଶୋଭନୀୟ କାର୍ଯ୍ୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ ଏବଂ ସମ୍ବିଧାନର ଉଲ୍ଲଙ୍ଘନ ଅଟେ । ଏହାକୁ ବିରୋଧି କରି ଆମେ ନୂଆ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ବିବୃତ୍ତିରେ ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନୁହଁନ୍ତି ରାଷ୍ଟ୍ରପତି ମୁର୍ମୁ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ବିରୋଧି ଦାବି କରିଛନ୍ତି । ଟି
ଏମସି ନେତା ସୁଦୀପ ବନ୍ଦୋପଧ୍ୟାୟ କହିଛନ୍ତି ସଂସଦ ଭବନର ଉଦଘାଟନ ସ୍ବାଧୀନତା ଦିବସ ସାଧାରଣତନ୍ତ୍ର ଦିବସ ନଚେତ୍ ଗାନ୍ଧୀ ଜୟନ୍ତୀ ଦିନ ହେବା ଉଚିତ୍ ଭିଡି ସାବରକରଙ୍କ ଜନ୍ମ ଜୟନ୍ତୀରେ ନୁହେଁ ।
ପାର୍ଲାମେଣ୍ଟ୍ ଉଦ୍ଘାଟନ ଉତ୍ସବକୁ ବର୍ଜନ କରିବେ ବୋଲି ଘୋଷଣା କରିଥିବା ୧୯ଟି ରାଜନୈତିକ ଦଳ ହେଲେ, କଂଗ୍ରେସ, ‘ଡିଏମ୍କେ’, ‘ଆପ୍’, ‘ଟିଏମ୍ସି’, ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ (ମଣି), ବିଦୁତାଲାଇ ଚିରୁତୈଗଲ୍ କାତ୍ଚି, ରାଷ୍ଟ୍ରୀୟ ଲୋକ ଦଳ, ‘ଜେଡି (ୟୁ)’।
ସେହିପରି, ‘ଏନ୍ସିପି’, ‘ସିପିଆଇ(ଏମ୍)’, ‘ଆର୍ଜେଡି’, ‘ଆଇୟୁଏମ୍ଏଲ୍’, ‘ଏନ୍ସି’, ‘ଆର୍ଏସ୍ପି’ ଏବଂ ‘ଏମ୍ଡିଏମ୍କେ’ ମଧ୍ୟ ନୂତନ ସଂସଦ ଭବନ ଉଦ୍ଘାନଟରେ ଯୋଗ ଦେବେ ନାହିଁ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି।