ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ
ବଲାଙ୍ଗୀର (ସଂକେତ୍ ଟିଭି) ବଲାଙ୍ଗୀର ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବେଳେ ନିରଞ୍ଜନ ବିଶି ଗାଡ଼ିରେ ନଥିବା ସେ କହିଛନ୍ତି । ଏହି ଘଟଣା ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଆଜି ରାଜ୍ୟ ସଭା ସାଂସଦଙ୍କ ଇନୋଭା ଗାଡି ପାଟଣାଗଡ଼ରୁ କୌଣସି ଏକ କାର୍ଯ୍ୟକ୍ରମକୁ ଯାଉଥିଲା । ପାଟଣାଗଡ଼ ସହର ଠାରୁ ଅଳ୍ପ ଦୂରରେ ଥିବା ତାମିଆ ଛକ ଠାରେ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ଏବଂ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ ବିଲ ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଦ୍ଵାରା ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ତାମିଆ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ଵାଳ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପାଟଣାଗଡ଼ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛି । ସାଂସଦଙ୍କ ଗାଡ଼ିକୁ ପୋଲିସ ଜବତ କରିବା ସହିତ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖାଯାଇଛି।
ସେପଟେ ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ନଥିବା କହୁଥିବା ବେଳେ ଘଟଣାସ୍ଥଳରେ ଥିବା ଲୋକେ ସାଂସଦ ଗାଡ଼ି ଭିତରେ ଥିଲେ ବୋଲି କହିଛନ୍ତି । ସେ କହିଛନ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମୋର ସମ୍ପର୍କୀୟ । ମୁଁ ସକାଳୁ ପାଟଣାଗଡସ୍ଥିତ ବାସଭବନରେ ଥିଲି । ସଇଁତଳା, ମୁରିବାହାଲ, ତୁରେକେଲା ଅଞ୍ଚଳରୁ ଆସିଥିବା ଲୋକଙ୍କ ସହ ଆଲୋଚନା କରୁଥିଲି । କିଛି ଜିନିଷ ଆଣିବାକୁ ଡ୍ରାଇଭର ଗାଡି ନେଇ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି ।