ଭାରତକୁ ଋଷର ଧମକ: ଏଫଏଟିଏଫର ସହଯୋଗ ନ କଲେ ରଦ୍ଦ କରିବୁ ବ୍ୟବସାୟିକ ଓ ଅସ୍ତ୍ରଶସ୍ତ୍ର ଡିଲ
ନୂଆଦିଲ୍ଲୀ (ସଂକେତ୍ ଟିଭି) ୟୁକ୍ରେନ୍ ସହ ଯୁଦ୍ଧ ପରେ ବିଶ୍ୱରେ ଏକ ଘରିକିଆ ହୋଇ ରହିଥିବା ଋଷକୁ ହାତ ଗଣତି କିଛି ଦେଶ ସହଯୋଗ କରିଆସୁଛନ୍ତି । ଯେଉଁଥିରେ ଭାରତ ସବା ଆଗରେ ରହିଛି । ବିଶ୍ୱ ସମୁଦାୟ ସମେତ ଋଷ ସହ
ସନ୍ତୁଳିତ ହୋଇ ବ୍ୟବସାୟିକ ତଥା ଅନ୍ୟାନ୍ୟ କାରବାର ଜାରି ରଖିଛି ଭାରତ । ଏହାରି ମଧ୍ୟରେ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ (ଏଫଏଟିଏଫ)ରେ ସହଯୋଗ କରିବା ପାଇଁ ଭାରତ ଉପରେ ଋଷ ଚାପ ପକାଉଥିବା ଏକ ବ୍ଲୁମ୍ବର୍ଗ ରିପୋର୍ଟରେ ପ୍ରକାଶ ପାଇଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, “ଋଷ କହିଛି କି, ଯଦି ଭାରତ ଋଷିଆକୁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ (ଏଫଏଟିଏଫ)ର ବ୍ଲାକ୍ ଲିଷ୍ଟ କିମ୍ବା ଗ୍ରେ ଲିଷ୍ଟରେ ସାମିଲ ହେବାରୁ ରକ୍ଷା ନ କରେ ତେବେ ପୁଟିନ୍, ପ୍ରତିରକ୍ଷା ଓ ଉର୍ଜା ଡିଲ୍କୁ ରଦ୍ଦ କରିଦେବେ’ । ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ହେଉଛି ଏକ ଅନ୍ତର୍ଜାତୀୟ ସଂସ୍ଥା ଯିଏ କି, ବିଶ୍ୱରେ ଆର୍ଥିକ ଅପରାଧ ରୋକିଥାଏ । ଯେଉଁ ଦେଶ ଗୁଡିକ ଏଫଏଟିଏଫର ବ୍ଲାକ୍ କିମ୍ବା ଗ୍ରେ ଲିଷ୍ଟରେ ରୁହନ୍ତି ସେମାନଙ୍କ ଉପରେ ନଜର
ରଖାଯାଇଥାଏ । କେବଳ ସେତିକି ନୁହେଁ ଅନ୍ତର୍ଜାତୀୟ ସ୍ତରରୁ ମିଳୁଥିବା ଆର୍ଥିକ ସହଯୋଗ ମଧ୍ୟ ବନ୍ଦ କରି ଦିଆଯାଇଥାଏ । ଋଷ ଉପରେ ଏଫଏଟିଏଫ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଚ୍ଛଦ ପଟରେ ରହି ବିଭିନ୍ନ ଦେଶ ଉପରେ ଚାପ ପକାଉଛି ଋଷ । ଯେଉଁଥିରେ ଭାରତ ମଧ୍ୟ ରହିଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆସନ୍ତା ଜୁନ ମାସରେ ହିଁ ଋଷକୁ ବ୍ଲାକ୍ କିମ୍ବା ଗ୍ରେ ଲିଷ୍ଟରେ ସାମିଲ କରିପାରେ ଏଫଏଟିଏଫ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଭାରତକୁ ବ୍ୟବସାୟିକ କାରବାର ରଦ୍ଦ କରିଦେବାକୁ ଧମକ ଦେଉଛି ଋଷ । ସୂଚନା କି, ଗତ ଫେବୃଆରୀ ମାସରେ ଋଷର ସଦସ୍ୟତା ପଦକୁ ରଦ୍ଦ କରିଥିଲା ଏଫଏଟିଏଫ । ଆଉ ସଫେଇରେ ୟୁକ୍ରେନ୍ ସହ ଯୁଦ୍ଧ ବାବଦରେ ଦର୍ଶାଇଥିଲା ସଂସ୍ଥା । ଏଫଏଟିଏଫ କହିଥିଲା କି, ୟୁକ୍ରେନ ବିରୁଦ୍ଧରେ ଋଷ ଜାରି ରଖିଥିବା ଯୁଦ୍ଧ ଫାଇନାନ୍ସିଆଲ
ଆକ୍ସନ୍ ଟାସ୍କ ଫୋର୍ସର ନିୟମ ଉଲ୍ଲଂଘନ କରୁଛି ।
କେବଳ ସେତିକି ନୁହେଁ, ଋଷ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣ ଅନ୍ୟ ଦେଶମାନଙ୍କୁ ଉସକାଇବା ପାଇଁ ମଧ୍ୟ କରାଯାଉଛି । ତେଣୁ ସଦସ୍ୟତା ପଦ ରଦ୍ଦ କରାଯାଇଛି । ୟୁକ୍ରେନ ସହ ଯୁଦ୍ଧ କାରଣରୁ ଆମେରିକା ସମେତ ଅନେକ
ପଶ୍ଚିମୀ ଦେଶ ଋଷ ବିରୁଦ୍ଧରେ ପ୍ରତିବନ୍ଧକ ଲାଗୁ କରିସାରିଛନ୍ତି । ତେଣୁ ଋଷିଆ ନିଜର ଅର୍ଥ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ଭାରତ, ଚୀନ ଓ ତାଇୱାନ ଭଳି ଦେଶ ସହ ସମ୍ପର୍କକୁ ସୁଦୃଢ କରୁଛି । ତେଣୁ ଯଦି ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ, ଋଷକୁ ବ୍ଲାକ୍ ଲିଷ୍ଟ କିମ୍ବା ଗ୍ରେ ଲିଷ୍ଟ କରିଦିଏ ତେବେ ଏହି ସବୁ ଦେଶଗୁଡିକ ଋଷ ସହ ବ୍ୟବସାୟିକ କାରବାର କରିବା କଷ୍ଟକର ହୋଇପଡିବ । ଯାହାର ସିଧାସଳଖ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିବ ।