ଜୁନରେ ହେବ ଭୁବନେଶ୍ବର ମେଟ୍ରୋ ସେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ ମାସରେ ଭୁବନେଶ୍ୱର କଟକ ମେଟ୍ରୋ ଟ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିପାରନ୍ତି । ଭୁବନେଶ୍ୱର କଟକ ପାଇଁ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ମେଟ୍ରୋ ଟ୍ରେନ ପାଇଁ ସର୍ଭେ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ବର୍ଷ ଶେଷ ସୁଦ୍ଧା ମେଟ୍ରୋ କାମ ଆରମ୍ଭ ହେବ । ଓଡିଶାରେ ମେଟ୍ରୋ ଚଳାଚଳ ପାଇଁ ଦିଲ୍ଲୀ ମେଟ୍ରୋ ନିଗମ ସହ ଅନୁବନ୍ଧିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଜଟଣୀ ଏବଂ ପୁରୀରେ ପହଞ୍ଚିବ ମେଟ୍ରୋ ସେବା ।

ନିକଟରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଫିଲ୍ଡ ଭିଜିଟ କରି ତଦାରଖ କରିଥିଲେ । ଉତ୍କଳ ଦିବସରେ ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବା ବେଳେ ରେଲୱେ ଷ୍ଟେସନ ବାଣୀବିହାର ପଟିଆ ନନ୍ଦନକାନନ ଦେଇ ଚାଲିବ ମେଟ୍ରୋ ଟ୍ରେନ । ଏଥିପାଇଁ ଏଲିଭେଟେଡ୍‌ କରିଡର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାସ୍ତାରେ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ସରକାର ଏହି ବଡ଼ ପଦକ୍ଷେପ ନେଇଥିଲେ ।