ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କ ଜୀବନ ନେଇଥିଲା ଗୋପାଳ

ଝାରସୁଗୁଡା (ସଂକେତ୍ ଟିଭି) ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସଆଇ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ କୋର୍ଟରେ ପ୍ରିଲିମିନାରୀ ଚାର୍ଜସିଟ୍ ରେ ଏହା ଉଲ୍ଲେଖ କରାଯାଇଛି । ଆଜି କ୍ରାଇମବ୍ରାଞ୍ଚ ଝାରସୁଗୁଡା ଜେଏମଏଫସି କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ।

543 ପୃଷ୍ଠାର ଏହି ଚାର୍ଜଟିସଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ସୂଚନା ମିଳିଛି । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ଗୋପାଳ ପାଗଳ ନୁହେଁ ବୋଲି ଦାଖଲ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ସେ ନବ ଦାସଙ୍କୁ ହତ୍ୟା କରିଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ତା ଜୀବନ ପ୍ରତି ବିପଦ ଥିବା ଗୋପାଳ ଭାବୁଥିଲା । ତେଣୁ ନବ ଦାସଙ୍କ ପ୍ରତି ଗୋପାଳ ମନରେ ଆକ୍ରୋଶ ସୃଷ୍ଟି ହୋଇଥିଲା । ହତ୍ୟା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ହତ୍ୟା ପରେ ଗୋପାଳର ମାନସିକ ଅବସ୍ଥା ଠିକ୍ ନଥିବା ତା ର ପରିବାର ଲୋକେ କହିଥିଲେ । ମେଡିକାଲ ଟିମ୍ ଗୋପାଳର ଟେଷ୍ଟ କରି ମାନସିକ ଅସ୍ବାଭାବିକତା ନଥିବା ସ୍ପଷ୍ଟ କରିଥିଲେ । ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ମଧ୍ୟ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ବାଭାବିକ ଥିବା କହିଥିଲେ ।

ସୂଚନା ଅନୁସାରେ, ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ୍ ଦାଖଲ ପାଇଁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଟିମ୍ ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଥିଲେ । ତଦନ୍ତ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ୍ ଝାରସୁଗୁଡା ଆସିଛି । ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ଦୁଇ ଜଣିଆ ଟିମର ଡିଏସପି ତଥା ଏହି ହତ୍ୟା ମାମଲାର ଆଇଓ ରମେଶ ଚନ୍ଦ୍ର ଦୋରାଙ୍କ ସହିତ ଜଣେ ସହଯୋଗୀ ଅଧିକାରୀ ଆସି ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି ।

ଗତ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସର ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରୁ ଅଭିଯୁକ୍ତ ଗୋପାଳକୁ ପୋଲିସ ପିସ୍ତଲ ସହ ଗିରଫ କରିଥିଲା ।