ସବୁ ଜିଲ୍ଲାରେ ହେବ କଲ୍ୟାଣ ମଣ୍ଡପ
ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକଳାପ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର ବିଭିନ୍ନ ସଫଳତା ବିଷୟରେ ଅବଗତ କରାଇଥିଲେ । ମୁଖ୍ୟଃ ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିର ରୂପରେଖ, ନୂତନ ଓଡ଼ିଶା ସଶକ୍ତ ଓଡ଼ିଶା, ଆଞ୍ଚଳିକ ବୈଷମ୍ୟ ଦୂର କରିବା, ସ୍ୱାଭିମାନ ଅଞ୍ଚଳରେ ବିକାଶ, ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ, ଆକାଂକ୍ଷା ଜିଲ୍ଲା ଯୋଜନା ସଫଳତା ବିଷୟରେ ବଖାଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାରଏକ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ ଗଠନ ନିମନ୍ତେ ପ୍ରତିବଦ୍ଧ । ଓଡିଶାର ବିଭିନ୍ନ ଅଞ୍ଚଳର ବିକାଶମୂଳକ ଆବଶ୍ୟକତାକୁ ଉପଲବ୍ଧି କରି ସରକାର ଅଞ୍ଚଳ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଯେଉଁଥିରେ ବିଭିନ୍ନ ପ୍ରକଳ୍ପକୁ ରୂପାୟନ କରିବାପାଇଁ ବିହିତ ପଦକ୍ଷେପ ନିଆଯାଇଛି । ରାଜ୍ୟର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଠାରୁ ଅଧିକ । ୨୦୦୦-୦୧ ମସିହା ତୁଳନାରେ ବର୍ତମାନର ଅର୍ଥନୀତିର ଆକାର ପ୍ରାୟ ପନ୍ଦରଗୁଣ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଅର୍ଥନୈତିକ ପ୍ରଗତିକୁ ପ୍ରତିଫଳିତ କରୁଛି । ରାଜ୍ୟର ମୁଣ୍ଡପିଛା ଆୟ ଏବଂ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନରେ ଯଥେଷ୍ଟ ହ୍ରାସ ଘଟୁଛି । ପରିଷଦର ପାଣ୍ଠି ହସ୍ତତନ୍ତ ମଲ୍, ମିଲେଟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ କମ୍ୟୁନିଟି ସେଣ୍ଟର-ତଥାକଲ୍ୟାଣ ମଣ୍ଡପ ଭଳି ଅତ୍ୟାବଶ୍ୟକ ଗୋଷ୍ଠୀ ଭିତ୍ତିଭୂମି ନିର୍ମାଣରେ ଉପଯୋଗ କରାଯାଉଛି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ମାଧ୍ୟମରେମୁଖ୍ୟମନ୍ତ୍ରୀ ସଭାଘର ଅଧୀନରେ ୧୬୦୦ଟି କମ୍ୟୁନିଟି ସେଣ୍ଟର ତଥା କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଅଛି ।ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ନିମନ୍ତେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ କୁ ୨୦୦୮ -୦୯ ଆର୍ଥିକ ବର୍ଷରେ ୧୦୦ କୋଟିରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିବାବେଳେ ବର୍ତ୍ତମାନ୨୦୨୩-୨୪ ଆର୍ଥିକ ବର୍ଷରେ ୩୨୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ବିଜୁ କେବିକେ ଯୋଜନାରେ ୨୦୦୭-୦୮ ମସିହାରୁ ବାର୍ଷିକ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଉଅଛି ।
ଆଠ ଗୋଟି କେବିକେ ଜିଲ୍ଲାର ଭିତ୍ତିଭୂମିର ବିକାଶ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୧୯୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଅଛି । ରାଜ୍ୟସରକାର ନିଜସ୍ୱ ସମ୍ବଳରେ ୨୦୧୭-୧୮ ଆର୍ଥିକ ବର୍ଷରୁ ବାର୍ଷିକ ୧୩୦ କୋଟି ଟଙ୍କା ବ୍ୟୟରେ କେବିକେ ଜିଲ୍ଲା ପାଇଁ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଯୋଜନା ପ୍ରବର୍ତନ କରିଛନ୍ତି । ଆରମ୍ଭରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗକୁ ୬୩୯.୦୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଗଜପତି ଯୋଜନା ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୦୦ କୋଟି ଟଙ୍କା ଏହି ଦୁଇଗୋଟି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆବଣ୍ଟନ କରିଛନ୍ତି ।