ନୂଆ ସଂସଦ ଭବନ ଉଦ୍ଘାଟନ ନେଇ ଦାୟର ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ସଂକେତ୍ ଟିଭି): ନୂଆ ସଂସଦ ଭବନ ଉଦଘାଟନ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏହାକୁ ଖାରଜ କରିବା ସହିତ ଏହା କୋର୍ଟଙ୍କ ବିଷୟ ନୁହେଁ ବୋଲି କହିଛନ୍ତି । ଜଷ୍ଟିସ୍ ଜେ.କେ ମାହେଶ୍ବରୀ ଏବଂ ପି.ଏସ ନରସିଂହାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ, ଦାୟର ହୋଇଥିବା ଆବେଦନକୁ ଶୁଣାଣି କରିଥିଲେ । ଏଥିରରେ ବିଚାର କରିବାର କୌଣସି ବିଷୟ ନାହିଁ, ତେଣୁ କୋର୍ଟ ଏଥିରେ ମୁଣ୍ଡ ପୁରାଇବେ ନାହିଁ ବୋଲି ବିଚାରପତି କହିଥିଲେ ।
ନୂଆ ସଂସଦ ଭବନ ଉଦଘାଟନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲର ଶୁଣାଣି ବେଳେ ଖଣ୍ଡପୀଠ ରାଗିଯାଇଥିଲେ । ଯାଚିକାକର୍ତ୍ତାଙ୍କ ଆଇନଜୀବୀଙ୍କୁ ଜୋରିମାନା ଲଗାଇ ଦେବାକୁ କହିଥିଲେ । ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାର କୌଣସି ଆଧାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂସଦ ଭବନ ଉଦଘାଟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ରାଷ୍ଟ୍ରପତିଙ୍କୁ ଉଦଘାଟନ ଉତ୍ସବକୁ ନିମନ୍ତ୍ରଣ ନକରିବା ସମ୍ବିଧାନ ଉଲ୍ଲଙ୍ଘନ ବୋଲି ଯାଚିକାକର୍ତ୍ତା ନିଜ ଆବେଦନରେ ଉଲ୍ଲେଖ କରିଥିଲେ ।
ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ଦାୟର ହୋଇଥିବା ଯାଚିକାରେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା । ରାଷ୍ଟ୍ରପତି ଦେଶରେ ପ୍ରଥମ ନାଗରିକ ଏବଂ ଗଣତାନ୍ତ୍ରିକ ସଂସ୍ଥା ପ୍ରମୁଖ । ଲୋକସଭା ସଚିବାଳୟ ଏବଂ ଭାରତ ସଂଘ ରାଷ୍ଟ୍ରପତିଙ୍କୁ ଉଦଘାଟନ ପାଇଁ ନିମନ୍ତ୍ରଣ ନକରି ଅପମାନିତ କରାଯାଇଛି ବୋଲି ଯାଚିକାରେ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୮ ତାରିଖ ଅର୍ଥାତ୍ ରବିବାର ସଂସଦ ଭବନର ଉଦଘାଟନ କରିବେ। ସେପଟେ ସଂସଦ ଭବନକୁ ଭାରତର ରାଷ୍ଟ୍ରପତି ଉଦଘାଟନ କରୁନଥିବାରୁ ୨୦ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି ।