କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀ ଭାବେ ଶପଥ ନେଲେ ଆଉ ୨୪ ବିଧାୟକ

ବେଙ୍ଗାଲୁରୁ (ସଂକେତ୍ ଟିଭି) କର୍ଣ୍ଣାଟକରେ କ୍ୟାବିନେଟର ଆଜି ସମ୍ପ୍ରସାରଣ ହୋଇଛି । ଆଉ ୨୪ ଜଣ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ କର୍ଣ୍ଣାଟକ ବିଧାନସଭାରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି ।

ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ୨୪ ଜଣ ନୂଆ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମେତ ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନେ ହେଲେ ଦିନେଶ ଗୁଣ୍ଡୁ ରାଓ କ୍ରିଷ୍ଣା ବଇରି ଗୌଡା ଇଶ୍ବର ଖନ୍ଦ୍ରେ ରହିମ ଖାନ ସନ୍ତୋଷ ଲାଡ କେଏନ ରାଜନ୍ନା କେ ଭେଙ୍କଟେଶ ଏଚ ସି ମହାଦେବପ୍ପା ବୈରାଠୀ ସୁରେଶ ଶିବରାଜ ଟଙ୍ଗଡି ଆରବି ଟିମପୁର ବି ନଗେନ୍ଦ୍ର ଲକ୍ଷ୍ମୀ ହେବ୍ବାଲକର ମଧୁ ବାଙ୍ଗରପ୍ପା ଡି ସୁଧାକର ଚେଲୁଭରାୟା ସ୍ବାମୀ ମଙ୍କୁଲ ବୈଦ୍ୟ ଏବଂ ଏମସି ସୁଧାକର ।

ସୂଚନା ଅନୁଯାୟୀ ଚେଲୁଭରାୟ ସ୍ବାମୀ ପରିବହନ ମନ୍ତ୍ରୀ ହୋଇପାରନ୍ତି । ସେହିପରି ମୁନିୟାପ୍ପାଙ୍କୁ ରାଜସ୍ବ ମନ୍ତ୍ରୀ ପଦ ଜି ପରମେଶ୍ବର ଗୃହମନ୍ତ୍ରୀ ବୈରାଠି ସୁରେଶଙ୍କୁ ସହରାଞ୍ଚଳ ବିକାଶ ବିଭାଗ ମିଳିପାରେ । ଏମବି ପାଟିଲ ଶିଳ୍ପମନ୍ତ୍ରୀ ଓ ନଗେନ୍ଦ୍ର କ୍ରୀଡାମନ୍ତ୍ରୀ ହୋଇପାରନ୍ତି । ଭେଙ୍କଟେଶ ପଶୁସମ୍ପଦ ବିଭାଗ ରାମଲିଙ୍ଗା ରେଡ୍ଡି ବେଙ୍ଗାଲୁରୁ ଉନ୍ନୟନ ବିଭାଗ ମନ୍ତ୍ରୀପଦ ପାଇପାରନ୍ତି । ସିଦ୍ଧରମୈୟା ମନ୍ତ୍ରୀମଣ୍ଡଳରେ ୮ ଜଣ ଲିଙ୍ଗାୟତ ଓ ୬ ଜଣ ଭୋକ୍କାଲିଗା ନେତାଙ୍କୁ ସାମିଲ କରିଛନ୍ତି । ଏମାନଙ୍କ ଜଣେ ମହିଳା ମନ୍ତ୍ରୀ ଅଛନ୍ତି ।

ସେହିପରି ତିନି ଜଣ ଅନୁସୂଚିତ ଜାତିର, ଦୁଇ ଜଣ ଅନୁସୂଚିତ ଜନଜାତିର ଏବଂ ୫ ଜଣ ପଛୁଆ ବର୍ଗ ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କନିଷ୍ଠ ବିଧାୟକଙ୍କୁ ଉଚିତ୍ ସମ୍ମାନ ଦେବା ସହିତ ଜାତି ଓ ଅଞ୍ଚଳ ମଧ୍ୟରେ ସମନ୍ବୟ ରକ୍ଷା କରି ନୂଆ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।