ଚିରଞ୍ଜୀବି ଓ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ କଲା AICC ଶୃଙ୍ଖଳା କମିଟି
ଭୁବନେଶ୍ବର (ସଂକେତ୍ ଟିଭି) AICC ଶୃଙ୍ଖଳା କମିଟି କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ବାଳ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ରାଜ୍ୟ ନେତୃତ୍ବକୁ ପ୍ରଶ୍ନ ଉଠାଇଥିବା ଅଭିଯୋଗରେ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମେ ୮ ତାରିଖରେ ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ଜାନକୀ-ବସନ୍ତ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଦଳ ବିରୋଧୀ ମନ୍ତବ୍ୟ ଖୋଲା ମଞ୍ଚରେ ଦେଇଥିବା ଅଭିଯୋଗ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି। ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ। ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ। ଏଠି ମାଳ ମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜବ। ସେହିପରି ସମାନ ଢଙ୍ଗରେ କଂଗ୍ରେସ ଦଳ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍। ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା। କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ।
ସେପଟେ ଚିରଞ୍ଜୀବି ଓ ମୋକିମ ଙ୍କୁ AICC କାରଣ ଦର୍ଶାଅ ନୋଟିସ୍ ବାବଦରେ କିଛି ଜାଣିନଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଯାହା ଅଭିଯୋଗ ଥିଲା ତାକୁ ଆମେ AICC କୁ ପଠେଇ ଦେଇଥିଲୁ। AICC ଯାହା ନିଷ୍ପତ୍ତି ନେଇଥିବ। ବିଶୃଙ୍ଖଳିତ ଆଚରଣ ଯିଏବି କରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇକମାଣ୍ଡଙ୍କ ନିଷ୍ପତି। ସେ ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି ପିସିସି ସଭାପତି।