ପୂଜାର୍ଚ୍ଚନା ପରେ ନୂଆ ସଂସଦ ଭବନ ସ୍ଥାପିତ ହେଲା ଐତିହାସିକ ସେଙ୍ଗୋଲ
ନୂଆଦିଲ୍ଲୀ (ସଂକେତ୍ ଟିଭି) ନୂଆ ସଂସଦ ଭବନରେ ସ୍ଥାପନା ହେଲା ଐତିହ୍ୟ ଭରା ସେଙ୍ଗୋଲ ବା ରାଜଦଣ୍ଡ। ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଲୋକସଭା ଭବନର ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନା କରାଯାଇଛି । ଅଧିନମ ମଠର ପୂଜାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ସମର୍ପି ଥିଲେ। ପରେ ସେଙ୍ଗୋଲକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା । ଏହି ସଭା ଲୋକସଭା ବାଚସ୍ପତି ଓଲବିର୍ଲା ଓ ଅନ୍ୟ ସଦସ୍ୟମାନେ ଏବଂ ବିଭିନ୍ନ ଧର୍ମର ସାଧୁସାନ୍ଥ ଉପସ୍ଥିତିରେ ରାଜଦଣ୍ଡକୁ ସ୍ଥାପନା କରାଯାଇଛି ।
୫ ଫୁଟ୍ ଲମ୍ବ ରୁପାରେ ନିର୍ମିତ ଏହି ସେଙ୍ଗୋଲ ଉପରେ ସୁନାର ପରତ ଚଢା ଯାଇଛି। ଏହାର ଉପର ଭାଗରେ ନନ୍ଦୀ ବିରାଜମାନ ରହିଛି। ଏହାର ନିମ୍ନରେ ତାମିଲ ଭାଷାରେ କିଛି ଲେଖା ହୋଇଛି। ନିକଟରେ ପ୍ରୟାଗରାଜରୁ ଆଣିବା ପରେ ଏହାକୁ ଦିଲ୍ଲୀ ମ୍ୟୁଜିୟମରେ ରଖା ଯାଇଥିଲା।
ଏହି ସେଙ୍ଗୋଲକୁ ୧୯୪୭ ମସିହାରେ ତିଆରି କରାଯାଇଥିଲା। ଉଦଘାଟନ ସମାରୋହ ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାମିଲନାଡୁର ସନ୍ଥମାନେ ପହଞ୍ଚି ଏହାକୁ ହସ୍ତାନ୍ତର କରିଥିଲେ । ପ୍ରଧାନମନ୍ତ୍ରୀ ସନ୍ଥମାନଙ୍କୁ ଭେଟିବା ସହ ଆଶୀର୍ବାଦ ନେଇଥିଲେ ।