ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ନୂଆ ସଂସଦ ଭବନ ଉଦଘାଟିତ ହୋଇଛି । ବିରୋଧିଙ୍କ ବୟକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶୁଭ ଉଦଘାଟନ କରିଛନ୍ତି । ରବିବାର ସକାଳ ବୈଦିକ ରୀତିରେ ପୂଜାର୍ଚ୍ଚନା, ହୋମଯଜ୍ଞ ହୋଇଥିଲା। ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପନା ହେବା ପରେ ସର୍ବଧର୍ମ ପ୍ରାର୍ଥନାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ପରେ ଏହାକୁ ଦେଶବାସୀଙ୍କ ଉଦ୍ଧେଶ୍ୟରେ ଏହାକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କେବଳ ଇଟା ସିମେଣ୍ଟରେ ତିଆରି ଏକ ଭବନ ନୁହେଁ ବରଂ ୧୪୦କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷାର ପ୍ରତୀକ ପାଲଟିଛି । ପ୍ରତି ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଥାଏ, ଆଜି ସେହିଭଳି ଏକ ତାରିଖ । ମୋଦି ସମଗ୍ର ଦେଶବାସୀଙ୍କୁ ଏହି ସ୍ବର୍ଣ୍ଣିମ କ୍ଷଣର ଅଭିନନ୍ଦନ ଦେଇଛନ୍ତି ।

ନୂଆ ସଂସଦ ଭବନ ନୀତିକୁ ନିର୍ମାଣ ଏବଂ ସଂକଳ୍ପକୁ ସିଦ୍ଧି ସହ ଯୋଡିବ । ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ସ୍ଥିର କରୁଛି, ନୂଆ ସଂକଳ୍ପ କରୁଛି। ସାରା ବିଶ୍ବ ଭାରତର ସଂକଳ୍ପକୁ ଆଦର ଏବଂ ଆଶାର ସହ ଦେଖୁଛି । ଭାରତ ଆଗକୁ ବଢିଲେ ବିଶ୍ବ ଆଗକୁ ବଢିବ। ସର୍ବ ପୂରାତନ ଏବଂ ସବୁଠୁ ବଡ଼ ଗଣତନ୍ତ୍ର ଭାରତ ସାରା ବିଶ୍ବକୁ ମାର୍ଗଦର୍ଶନ କରିବ । ଆମ ଲୋକତନ୍ତ୍ର ହେଉଛି ପ୍ରେରଣା ଏବଂ ସମ୍ବିଧାନ ହେଉଛି ସଂକଳ୍ପ । ଏହାର ମିଶ୍ରଣ ହେଉଛି ନୂଆ ସଂସଦ । ଏହା ବିକଶିତ ଭାରତ ପାଇଁ ନୂଆ ପ୍ରେରଣା ହେବ । ଏହା ସମସ୍ତଙ୍କ କର୍ତ୍ତବ୍ୟଭାବକୁ ଉଜାଗର କରିବ । ନୂଆ ସଂସଦ ଭବନ ସାରା ଭାରତର ବିଭିନ୍ନ ପ୍ରଦେଶରେ କଳା, ସଂସ୍କୃତି ପ୍ରଦର୍ଶିତ କରୁଛି । ଏହା ଏକ ଭାରତ-ଶ୍ରେଷ୍ଠ ଭାରତର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।