୭୫ ଟଙ୍କାର ସ୍ମାରକ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) ନୂଆ ସଂସଦ ଭବନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କାର ନୂଆ ମୁଦ୍ରା ଜାରି କରିଛନ୍ତି। ତେବେ ଏହି ମୁଦ୍ରା ସାଧାରଣ ଲୋକଙ୍କ ଦୈନନ୍ଦିନ ଚଳନୀରେ ଉପଯୋଗ ହୋଇପାରିବନି। କାରଣ ସ୍ମାରକୀ ମୁଦ୍ରା ସାଧାରଣ ପ୍ରଚଳନ ଲାଗି ନୁହେଁ।

ଏହି ସ୍ମାରକୀ ମୁଦ୍ରା ଏହାର ଲିଗାଲ ଭାଲ୍ୟୁ ଠାରୁ ଅଧିକ ମୂଲ୍ୟର। କାରଣ ମୁଦ୍ରାର ଅଧା ରୂପାରେ ନିର୍ମିତ। ଏଣୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ। ୭୫ ଟଙ୍କିଆ ମୁଦ୍ରାର ବ୍ୟାସ ୪୪ ମିଲିମିଟର ହୋଇଥିବା ବେଳେ ଏହାର ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ ଓ ୫ ପ୍ରତିଶତ ଦସ୍ତାରେ ତିଆରି ହୋଇଛି। ମୁଦ୍ରାର ସମ୍ମୁଖରେ ଅଶୋକ ସ୍ତମ୍ବ ଥିବା ବେଳେ ନିମ୍ନରେ ଦେବନାଗରୀରେ ‘ସତ୍ୟମେବ ଜୟତେ’ ଉଲ୍ଲେଖ ହୋଇଛି।

ମୁଦ୍ରାର ଅପର ପାର୍ଶ୍ୱରେ ସଂସଦ ପରିସରର ଛବି ରହିଛି। ଏହାର ଉପର ପରିଧିରେ ଦେବନାଗରୀ ଲିପିରେ ଲେଖା ହୋଇଛି ‘ସଂସଦ ସଂକୁଳ’। ଯେଉଁ ଲୋକେ ଏହି ଖାସ ମୁଦ୍ରା ହାସଲ କରିବାକୁ ଚାହୁଁଛନ୍ତି ସେମାନେ ସିକ୍ୟୁରିଟିଜ୍ ଅଫ ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ(ଏସପିଏମସିଆଇଏଲ)ଙ୍କ ୱେବ୍ ସାଇଟ୍‌ରୁ ପ୍ରାପ୍ତ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ଅନୁସାରେ ମୁଦ୍ରା ଅଧିନିୟମ ୨୦୧୧ର ଧାରା ୬ରେ ଭାରତ ସରକାରଙ୍କ ଦ୍ୱାରା ଜାରି ମୁଦ୍ରା ପୈଠରେ ଅଥବା ଖାତାରେ ଲିଗାଲ ଟେଣ୍ଡର ହୋଇପାରିବ।