ନୂଆ ସଂସଦ ଭବନକୁ କଫିନ ସହ ତୁଳନା କଲା ଆରଜେଡି

ନୂଆଦିଲ୍ଲୀ (ସଂକେତ୍ ଟିଭି) ନୂତନ ସଂସଦ ଭବନର ଡିଜାଇନକୁ କଫିନ ସହିତ ତୁଳନା କରିଛି ଆରଜେଡି । ଏନେଇ ଦଳ ଟ୍ବିଟର ହ୍ୟାଣ୍ଡେଲରେ ସଂସଦ ଭବନ ଓ କଫିନ ଏକ ଫଟୋ ପୋଷ୍ଟ କରି ଏହା କ ଣ ବୋଲି ପ୍ରଶ୍ନ କରିଛି । ଯାହାକୁ ନେଇ ଏବେ ବିଜେପି ଓ ଆରଜେଡି ମୁହାଁମୁହିଁ ହୋଇଛନ୍ତି ।

ଆରଜେଡି ନେତା ଶକ୍ତି ସିଂ ଯାଦବ କହିଛନ୍ତି ଆମ ପକ୍ଷରୁ କଫିନର ଯେଉଁ ଚିତ୍ର ଟ୍ବିଟ୍ କରାଯାଇଛି ତାହା ଦେଶର ଗଣତନ୍ତ୍ରକୁ କବର ଦିଆଯାଇଛି ବୋଲି ଦର୍ଶାଉଛି । ଦେଶବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ । ସଂସଦ ଗଣତନ୍ତ୍ରର ମନ୍ଦିର ଯେଉଁଠି ଆଲୋଚନା ହୁଏ ।

ଆରଜେଡିର ଏପରି ଟ୍ବିଟରେ କଡା ଜବାବ ଦେଇ ବିଜେପି ନେତା ସୁଶୀଲ ମୋଦି କହିଛନ୍ତି ନୂତନ ସଂସଦ ଭବନକୁ କଫିନ ସହ ତୁଳନା କରିଥିବା ଲୋକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ୍ ।

ଆଜି ନୂଆ ସଂସଦ ଭବନର ଉଦଘାଟନ ହୋଇଥିବା ବେଳେ ୨୦ରୁ ଅଧିକ ବିରୋଧ ଦଳ ଲୋକାର୍ପଣ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ସଂସଦର ଲୋକାର୍ପଣକୁ ବିରୋଧି କରିଥିଲେ । ଏହା କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ନୁହେଁ ବରଂ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ବିରୋଧି ନେତାଏ କହିଥିଲେ ।