ଆହତ ମହିଳା ମାଓବାଦୀଙ୍କୁ ଉଦ୍ଧାର କଲେ ଜବାନ, ଛାଡି ଚାଲିଗଲେ ସାଥୀ ମାଓବାଦୀ
ମାଲକାନଗିରି (ସଂକେତ୍ ଟିଭି) ମାଲକାନଗିରି ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ଆହତ ମହିଳା ମାଓବାଦୀଙ୍କୁ ଜଙ୍ଗଲରୁ ଉଦ୍ଧାର କରିଏବଂ ମେଡିକାଲରେ ଚିକିତ୍ସା କରାଇଲେ ଜବାନ।
ସୂଚନା ଅନୁସାରେ, ଶନିବାର କାଙ୍କେର ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଉରପାଞ୍ଜୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ବିଏସଏଫ ଓ ଡିଆରଜି ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ମାଓବାଦୀ ଓ ଜବାନମାନେ ମୁହାଁମୁହିଁ ହୋଇଥିଲେ । କିଛି ସମୟ ପରେ ଆଇଇଡି ବିସ୍ଫୋରଣ କରି ନକ୍ସଲ ମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ବିସ୍ଫୋରଣରେ ଦୁଇ ଜଣ ଜବାନ ଆହତ ହୋଇଛନ୍ତି । ହେଲେ ସର୍ଚ୍ଚ ଅପରେସନ ବେଳେ ଜଣେ ହାଡକୋର ମହିଳା ମାଓବାଦୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲେ । ଏହି ସାମଗ୍ରୀ ମଧ୍ୟରେ କିଛି ବନ୍ଧୁକ ଏବଂ ଲ୍ୟାଣ୍ଡମାଇନ ରହିଥିଲା ।
ତେବେ ଗୁଳିରେ ଆହତ ହୋଇଥିବା ମହିଳା ମାଓବାଦୀର ଜୀବନ ବଞ୍ଚାଇବାକୁ ଜବାନମାନେ ଜଙ୍ଗଲ ଭିତରୁ ବାହାର କରି କାଙ୍କେର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତରୀ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇ ମହିଳା ମାଓବାଦୀ ଫଗୁଣି ପଡିଆମି ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।
ସେ କହିଛନ୍ତି ଯେ, RKB ମାଓ ସଂଗଠନର କୋଟରି ଏରିଆ କମିଟିର ୧୫ ଜଣ ସଦସ୍ୟ ଜଙ୍ଗଲ ଭିତରେ ଲୁଚିଥିଲେ । ମୁଣ୍ଡ ଉପରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ ନେତା ବିନୋଦ ମଧ୍ୟ ଏହି ଶିବିରରେ ରହିଥିଲେ ବୋଲି ଆହତ ମହିଳା ନକ୍ସଲ ଫଗୁଣି କହିଛନ୍ତି । ତେବେ ଫଗୁଣି ଗୋଡରେ ଗୁଳି ବାଜିବା ପରେ ସାଥି ତାଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲ ଭିତରେ ଛାଡ଼ି ପଳାଇଛନ୍ତି । ହେଲେ ଜବାନମାନେ ତାଙ୍କ ଜୀବନ ବଞ୍ଚାଇଛନ୍ତି ।