୨୦ ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା ନୃଶଂସ ପ୍ରେମିକ ଗିରଫ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଥରେ କି ଦୁଇ ଥର ନୁହଁ ୨୦ ଥର ଛୁରୀରେ ଆକ୍ରମଣ ପରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କଲା ପ୍ରେମିକ । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରବିବାର ସନ୍ଧ୍ୟା ବେଳେ ଜଣେ ୧୬ ବର୍ଷୀୟ ଝିଅକୁ ତା’ର ପ୍ରେମିକ ହତ୍ୟା କରିଥିବା କଥା ପୁଲିସ କହିଛି।

ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସାକ୍ଷୀ । ତାଙ୍କ ଘର ଶାହାବାଦ ଡାଏରୀ ଅଞ୍ଚଳରେ । ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସେ ତାଙ୍କ ସାଙ୍ଗ ଘରକୁ ଆସିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଝିଅଟିକୁ ବାରମ୍ବାର ଛୁରି ଭୁସିବା ପରେ ଅଭିଯୁକ୍ତ ପ୍ରେମିକ ସାହିଲ୍‌ ଗୋଟାଏ ଓଜନିଆ କଂକ୍ରିଟ୍‌ ସ୍ଲାବ୍‌ରେ ଛେଚି ପକାଇଛି। ଏହାପରେ ପୋଲିସ ଛାନଭିନ୍‌ କରି ହତ୍ୟାକାରୀ ପ୍ରେମିକକୁ ଗିରଫ କରିଛି । ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଲୁଚିଥିଲା ହତ୍ୟାକାରୀ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। କିନ୍ତୁ, ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯିବା ପାଇଁ ଯୋଜନା କରିଥିଲା। ଅଭିଯୁକ୍ତ ଝିଅ ପଛେ ପଛେ ଯାଇ ଛୁରି ମାରିବା ପରେ ସ୍ଲାବ୍‌ରେ ଛେଚି ପକାଇଥିଲା।

‘ସିସିଟିଭି ଫୁଟେଜ୍‌’ରେ ଦେଖାଯାଉଛି ଶାହବାଦ୍‌ ଡାଏରିର ଗୋଟାଏ ସରୁ ଗଳିରେ ଅଭିଯୁକ୍ତ ସାହିଲ୍‌ ସେ ଝିଅକୁ ଛୁରି ଭୁସୁଥିବା ବେଳେ ବାଟୋଇମାନେ ସେ ଭୟଙ୍କର ଦୃଶ୍ୟ ଦେଖୁଛନ୍ତି। ଛୁରି ଭୁସି ସାରିବା ପରେ ସାହିଲ୍ ରାସ୍ତାରୁ ଗୋଟାଏ ଓଜନିଆ ସ୍ଲାବ୍‌ ଉଠାଇ ଆଣି ଝିଅ ମୁଣ୍ଡରେ ଏକାଧିକ ବାର ପକାଇ ଘଟଣାସ୍ଥଳରୁ ଚାଲିଯାଉଛି। କିଛି ସମୟ ପରେ ପୁଣି ଫେରି ଆସି ସ୍ଲାବ୍‌ରେ ଝିଅର ମୁଣ୍ଡକୁ ପୂର୍ବ ଭଳି ଛେଚି ପକାଉଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଝିଅର ରକ୍ତାକ୍ତ ଶବ ରାସ୍ତାରେ ପଡ଼ିଥିଲା।