ମୋ ଘର ଯୋଜନାର ଶୁଭାରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ୍ ଟିଭି) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ମୋ ଘର’ ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ । ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ କାର୍ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ । ୫ ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଏହି ଯୋଜନାରେ ଲାଭ ପାଇପାରିବେ ।

ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣ ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ। ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରାଯିବ। ଋଣ ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଯୋଜନା ପାଇଁ ଥିବା ନିର୍ଦ୍ଧିଷ୍ଟ ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ। ଜୁନ୍ ୧୬ତାରିଖରୁ ଆବେଦନ ଗ୍ରହଣ କରାଯିବ। ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧ଶହ ୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି ।