ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ମୋ ଘର ଯୋଜନା
ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟ ସରକାରଙ୍କ `ମୋ ଘର´ ଯୋଜନା ଏକ ନୂଆ ଥିଓରି ଏବଂ ପ୍ରହେଳିକା। ଏହା ଏକ ସମ୍ପୂର୍ଣ୍ଣ ପ୍ରହେଳିକା, ଯାହାଦ୍ୱାରା ଲୋକଙ୍କୁ ଠକି ହେବ। ୫ ବର୍ଷ ମଧ୍ୟରେ ମାତ୍ର ୪୮୦ ବିଜୁ ପକ୍କା ଘର ଦେଇଛନ୍ତି। ଆଜି ମୋ ଘର ନାଁ ରେ ନୂଆ ଯୋଜନା କେବଳ ନୂଆ ବୋତଲରେ ପୁରୁଣା ମଦ। ରାଜ୍ୟ ସରକାର ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଏବଂ ପ୍ରତାରିତ କରିବା ପାଇଁ ଯୋଜନା କରିଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସେ କହିଛନ୍ତି, ରାଜ୍ୟ ସରକାର ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ପୋତିଛନ୍ତି। ମୋ ଘର ଯୋଜନାରେ ଋଣ ତ ରାଜ୍ୟ ସରକାର ଦେବେନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦିଏ ନ ହେଲେ ଘରୋଇ ବ୍ୟାଙ୍କ ଦିଏ। ରାଜ୍ୟ ସରକାର ସବସିଡି ନାଁ ରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୨୫ ହଜାର ଯିଏ ମାସିକ ଆୟ କରୁଥିବ ତାହାର ବାର୍ଷିକ ଆୟ ହେଉଛି ୩ ଲକ୍ଷ ଟଙ୍କା। ନିୟମ ଅନୁଯାୟୀ ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ପାଇ ପାରିବ, ସେ ତୁମ ଟଙ୍କା କାହିଁକି ନେବ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗରିବ ଲୋକ କୃଷି ଋଣ ଶୁଝି ପାରୁନି ସେ ଘର ଲୋନ କେମିତି ଶୁଝିବ। ଯଦି ସେ ଶୁଝି ନ ପାରିବ ତାର ବାପା ଅଜା ଅମଳର ଜାଗା ଖଣ୍ଡକ ବି ଚାଲିଯିବ।
କେନ୍ଦ୍ର ସରକାର କମ ଘର ଦେଇଥିବାରୁ ମୋ ଘର ଯୋଜନା ଆରମ୍ଭ କରାଯାଇଛି ବୋଲି ବିଜେଡି ସରକାର କହୁଥିବାବେଳେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ସରକାର ୨୬ ଲକ୍ଷ ୯୫ ହଜାର ଘର ଦେଇଛନ୍ତି। ସେ ମଧ୍ୟରେ କିଛି ନିର୍ମାଣ ସରିଛି ଆଉ କିଛି ଚାଲିଛି । ସେହିପରି ୯ ଲକ୍ଷ ୫୦ ହଜାର ଘର ଆସିଥିଲେ ବି ରାଜ୍ୟ ସରକାର ତାକୁ ବାଣ୍ଟୁ ନାହାନ୍ତି ।
ଏବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ୩୪ ହଜାର ୬୩ କୋଟି ଟଙ୍କା ଦେଇ ସାରିଛନ୍ତି। ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ସେତିକି ଘର ଦିଆ ଯାଇ ସରିଛି ବୋଲି ସେ କହିଛନ୍ତି ।