ହତ୍ୟା ପାଇଁ ଅନୁତାପ ନାହିଁ କହିଲା ଦିଲ୍ଲୀରେ ନାବାଳିକା ହତ୍ୟାଘଟଣାର ଅଭିଯୁକ୍ତ
ନୂଆଦିଲ୍ଲୀ (ସଂକେତ୍ ଟିଭି) ରବିବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ନାବାଳିକା ହତ୍ୟା ଘଟଣାର ଅଭିଯୁକ୍ତ ସାହିଲ ପୁଲିସ୍ ସମ୍ମୁଖରେ ନିଜ ଅପରାଧ ମାନିଥିବା ବେଳେ ଏ ନେଇ ସେ ପଶ୍ଚାତାପ କରୁନାହିଁ ବୋଲି କହିଛି। ଅଭିଯୁକ୍ତର କହିବା କଥା ହେଲା ନାବାଳିକା ଜଣକ ତାକୁ ଖୁବ୍ ଅଣଦେଖା କରୁଥିଲା। ଯେଉଁ କାରଣରୁ ତାକୁ ହତ୍ୟା କରିବା ପରେ ବି ସେ ଅନୁତାପ କରୁନାହିଁ।
ଗତକାଲି ପୁଲିସ ଉତ୍ତରପ୍ରଦେଶର ବୁଲନ୍ଦସରରୁ ଗିରଫ କରି ରାତିରେ ତାକୁ ଜେରା କରିଛି । ଏଥିରେ ସେ ନାବାଳିକାର ହତ୍ୟା କରିଥିବା ସ୍ବୀକାର କରିଛି। ହେଲେ ଏଥିପାଇଁ ସେ ଆଦୌ ବି ଅନୁତାପ କରୁନାହିଁ ବୋଲି ପ୍ରକାଶ କରିଛି। ଅଭିଯୁକ୍ତର କହିବା କଥା ହେଉଛି ସେ ଭଲପାଉଥିବା ଯୁବତୀ ଜଣକ ନିଜର ପୂର୍ବ ପ୍ରେମିକ ସହ ପ୍ୟାଚ୍-ଅପ୍ କରିବା ପରେ ତାକୁ ଅଣଦେଖା କରିବାରେ ଲାଗିଲା। ଯାହାକି ତାକୁ ଖୁବ୍ ବାଧିଲା ଓ ସେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଗଲା।
ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଶାହବାଦ ଡେରି ଅଞ୍ଚଳରେ ରବିବାର ସର୍ବସମ୍ମୁଖରେ ସାକ୍ଷୀ ନାମ୍ନୀ ଜଣେ ୧୬ ବର୍ଷୀୟା ନାବାଳିକାକୁ ତା’ର ପ୍ରେମିକ ୨୨ଥର ଛୁରୀ ଭୁସିବା ପରେ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରିଛି। ହତ୍ୟାକାଣ୍ଡ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅଭିଯୁକ୍ତର ସାହିଲକୁ ୨୦ ବର୍ଷ, ସେ ଜଣେ ଏସି ମେକାନିକ୍ । ମୃତ ନାବାଳିକାଙ୍କ ସହ ତାର ପ୍ରେମ ସମ୍ପର୍କ ଥିଲା। ତେବେ ହତ୍ୟାକାଣ୍ଡ ପୂର୍ବଦିନ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ରବିବାର ସନ୍ଧ୍ୟାରେ ନାବାଳିକା ତାର ଜଣେ ବନ୍ଧୁଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ସାହିଲ ଆକ୍ରମଣ କରିଥିଲା। ହତ୍ୟାକାଣ୍ଡ ପରେ ସାହିଲ ସ୍ଥାନ ଛାଡ଼ି ପଳାଇଥିଲା।