ବୃଦ୍ଧି ହେବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର (ସଂକେତ୍ ଟିଭି)ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ନେଇ ସୂଚନା ଦେଇଛନ୍ତି।
ଏଣେ ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ସୋମବାରରୁ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ହେବ। ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁନ୍ ୨୦ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁନ୍ ୨୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ।
ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୨୯ରୁ ଜୁଲାଇ ୫ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୧୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ଜୁଲାଇ ୨୬ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨୬ ଓ ୨୭ରେ ଅନୁଷ୍ଠିତ ହେବ। ଜୁଲାଇ ୨୯ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।