ଭଗବାନଙ୍କୁ ବି ଭ୍ରମିତ କରିପାରିବେ ମୋଦି : ରାହୁଲ ଗାନ୍ଧୀ
ଭୁବନେଶ୍ବର (ସଂକେତ୍ ଟିଭି) ଭାରତରେ କିଛି ଲୋକଙ୍କୁ ଲାଗୁଛି ସେ ସବୁ ଜାଣନ୍ତି । ଏମିତିକି ଭଗବାନଙ୍କୁ ମଧ୍ୟ ଶିକ୍ଷା ଦେଇପାରିବେ ବୋଲି ଭାବୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ । ଯଦି ମୋଦିଙ୍କୁ ଭଗବାନଙ୍କ ସାମ୍ନାରେ ବସାଇ ଦିଆଯିବ ତାହାହେଲେ ବ୍ରହ୍ମାଣ୍ଡ କେମିତି ଚଳାଇବେ ତାହା ଇଶ୍ବରଙ୍କୁ ବି ଶିଖାଇ ଦେବେ । ମଙ୍ଗଳବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା କହିଛନ୍ତି ।
ମଙ୍ଗଳବାର ରାତିରେ ରାହୁଲ ଆମେରିକା ସାନ ଫ୍ରାନ୍ସିସକୋ ଠାରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା ତାଙ୍କୁ ସ୍ବାଗତ କରିଛନ୍ତି । ନିଜର ଗସ୍ତ କାଳରେ ରାହୁଲ ସାନ ଫ୍ରାନ୍ସିସକୋ ୱାଶିଂଟନ ଡିସି ଏବଂ ନ୍ୟୁୟର୍କ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତା ଆମେରିକାରେ ପହଞ୍ଚିବା ପରେ କାର୍ଲିଫର୍ଣ୍ଣିଆ ୟୁନିଭରସିଟି ଯାଇ ଶିକ୍ଷାବିତ୍ ସମାଜିକ କର୍ମୀ ଓ ନାଗରିକ ସମାଜ ସହ ବାର୍ତ୍ତାଳାପ କରିଛନ୍ତି । ତେବେ ଏହି ୧୦ ଦିନିଆ ଗସ୍ତ ମଧ୍ୟରେ ସେ କେତେକ ରାଜନେତା ପ୍ରବାସୀ ଭାରତୀୟ ଉଦ୍ୟୋଗୀ ପୁଞ୍ଜିପତି ଓ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବାର ମଧ୍ୟ ରହିଛି ।
ରାହୁଲ ସାନ ଫ୍ରାନ୍ସିସକୋରେ ପହଞ୍ଚିବା ପରେ ଆଜି ବୁଧବାର ସକାଳେ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୁଣିଥରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଯେ ଭାରତରେ କିଛି ଲୋକଙ୍କୁ ଲାଗୁଛି ସେ ସବୁ ଜାଣନ୍ତି । ଏମିତିକି ଭଗବାନଙ୍କୁ ମଧ୍ୟ ଶିକ୍ଷା ଦେଇପାରିବେ ବୋଲି ଭାବୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ । ଯଦି ମୋଦିଙ୍କୁ ଭଗବାନଙ୍କ ସାମ୍ନାରେ ବସାଇ ଦିଆଯିବ ତାହାହେଲେ ବ୍ରହ୍ମାଣ୍ଡ କେମିତି ଚଳାଇବେ ତାହା ଇଶ୍ବରଙ୍କୁ ବି ଶିଖାଇ ଦେବେ ।
ଏହାସହିତ କଂଗ୍ରେସ ନେତା ନୂଆ ସଂସଦ ଭବନ ସମ୍ପର୍କରେ ମଧ୍ୟ କହିଛନ୍ତି । ସଂସଦ ଭବନକୁ ପରିବର୍ତ୍ତନ କରିବାର ଆବଶ୍ୟକତା ନଥିଲା । ଆଜି ଭାରତରେ ମୁସଲିମ ଦଳିତ ଖ୍ରୀଷ୍ଟିଆନ ଓ ଶିଖ୍ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେବେ ଘୃଣାକୁ ଘୃଣାରେ ନୁହେଁ ପ୍ରେମ ସାହାଯ୍ୟରେ ଦୂର କରାଯାଇ ପାରିବ ବୋଲି କହିଛନ୍ତି । ରାହୁଲ ବିଦେଶ ମାଟିରେ ପୁଣିଥରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ବିରୋଧି ଦଳ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି । ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ କାର୍ଯ୍ୟାନୁଷ୍ଠାନ ହେଉଛି ।
ଆମେରିକା ଗସ୍ତ ସମୟରେ ରାହୁଲ ଏହି ସପ୍ତାହ ଯାକ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜୁନ ୪ ତାରିଖରେ ସେ ନ୍ୟୁୟର୍କ ସ୍ଥିତ ମାଡିସନ ସ୍କୋୟାର ଗାର୍ଡେନରେ ପ୍ରବାସ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଭାରତୀୟ ସାମିଲ ହେବେ ବୋଲି କୁହାଯାଉଛି । ସେହିପରି ସାନ ଫ୍ରାନ୍ସିସକୋ ସ୍ଥିତ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ଏହାପରେ ୱାଶିଂଟନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ସାଂସଦ ଓ ଥିଙ୍କ ଟ୍ୟାଙ୍କ ସହର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।