ଋଷିଆ ପରେ ଦ୍ୱିତୀୟ ସୁପରଡିପ୍ ବୋରୱେଲ ଖନନ କରିବ ଚୀନ
ବେଜିଂ (ସଂକେତ୍ ଟିଭି) ଚୀନ୍ ବୈଜ୍ଞାନିକମାନେ ପୃଥିବୀରେ ୧୦ ହଜାର ମିଟର (୩୨ହଜାର ୮୦୮ଫୁଟ) ଗଭୀର ବୋରୱେଲ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଚୀନ୍ ତୈଳ ସମୃଦ୍ଧ ଝିନଜିଆଙ୍ଗ କ୍ଷେତ୍ରରେ ଏହି ଖନନ ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ଚୀନ୍ ମଙ୍ଗଳବାର ପୂର୍ବାହ୍ନରେ ଗୋଭି ମରୁଭୂମିରୁ ନିଜର ପ୍ରଥମ ନାଗରିକ ମହାକାଶ ଯାତ୍ରୀଙ୍କୁ ଅନ୍ତରୀକ୍ଷ ପ୍ରେରଣ କରିଛି ।
ମିଡିଆ ରିପୋର୍ଟ ଅନୁସାରେ ସୁପରଡିପ ବୋରହୋଲ ଲାଗି ଚୀନ୍ ୧୦ରୁ ଅଧିକ ମହାଦ୍ୱିପୀୟ ସ୍ତରକୁ ଛେଦ କରିବ । କୁହାଯାଉଛି ଏହା ଦ୍ୱାରା ଚୀନ୍ ପୃଥିବୀର ୧୪୫ ନିୟୁତ ବର୍ଷ ପୂର୍ବେ ଥିବା କ୍ରେଟେସିୟସ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହେବ । ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୨୧ ମସିହାରେ ଦେଶର କିଛି ପ୍ରମୁଖ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ସେ ପୃଥିବୀର ଗଭୀରତାରେ ଅନୁସନ୍ଧାନକୁ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ଏହି ପ୍ରୟାଶ ଭୂପୃଷ୍ଠରେ ଥିବା ଶକ୍ତି ସନ୍ଧାନରେ ବେଶ ସହାୟକ ହୋଇପାରିବ ବୋଲି କୁହାଯାଉଛି । ଏପରି ଖନନ ଦ୍ୱାରା ଭୂମିକମ୍ପ ଓ ଆଗ୍ନେୟଗିରି ବିସ୍ଫୋରଣ ଭଳି ପରିବେଶର ବିପଦ ଆକଳନ କରିବାରେ ମଧ୍ୟ ସହାୟକ ହୋଇପାରେ । ଦୀର୍ଘ ୨୦ ବର୍ଷର ଖନନ ପରେ ଋଷିଆ ୧୯୮୯ ମସିହାରେ ୧୨,୨୬୨ ମିଟର (୪୦,୨୩୦ ଫୁଟ) ଗଭୀର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।