ପ୍ରତି ବ୍ଲକ୍‌ରେ ସ୍ଥାପନ କରାଯିବ ୨୦୦୦ ଟନ୍ କ୍ଷମତାର ଗୋଦାମ

ନୂଆଦିଲ୍ଲୀ (ସଂକେତ୍ ଟିଭି) କେନ୍ଦ୍ର କ୍ୟାବିନେଟ୍‌ ବିଶ୍ୱର ସର୍ବବୃହତ୍ତ ଖାଦ୍ୟ ଭଣ୍ଡାର ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରର କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ ।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆଜି କ୍ୟାବିନେଟ୍‌ ବୈଠକରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍ତ ଷ୍ଟୋରେଜ୍‌ ଯୋଜନାକୁ ଅନୁମୋଦନ ମିଳିଛି । ବର୍ତ୍ତମାନ ଦେଶ ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତା ୧୪୫୦ ଲକ୍ଷ ଟନ୍ ଥିବାବେଳେ ସେଥିରେ ଆଉ ୭୦୦ ଲକ୍ଷ ଟନ କ୍ଷମତା ବୃଦ୍ଧି କରାଯିବ । ଏହି ଯୋଜନା ପାଇଁ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ଆନ୍ତଃମନ୍ତ୍ରଣାଳୟ କମିଟି ଗଠନ କରାଯିବ । ଏହି ଯୋଜନା ଆରମ୍ଭ କରିବା ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ପାଇଲଟ୍‌ ପ୍ରୋଜେକ୍ଟ ଭାବେ ପ୍ରଥମ ୧୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟର ଭଣ୍ଡାରଣ କ୍ଷମତା ୨୧୫୦ ଲକ୍ଷ ଟନ୍‌କୁ ବୃଦ୍ଧି କରାଯିବ । ଏହା ଅଧୀନରେ ପ୍ରତି ବ୍ଲକରେ ୨୦୦୦ ଟନ୍ କ୍ଷମତାର ଗୋଦାମ ନିର୍ମାଣ କରାଯିବ । ଯାହାଫଳରେ ଶସ୍ୟକୁ ସୁବିଧାରେ ସଂରକ୍ଷଣ କରି ରଖାଯାଇପାରିବ ।