ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଲେ କେଜ୍ରିଓ୍ବାଲ
ରାଞ୍ଚି (ସଂକେତ୍ ଟିଭି) କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି।
ଏହି ସାକ୍ଷାତ ପରେ କେଜ୍ରିଓ୍ବାଲ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେଇଥିଲେ ମଧ୍ୟ ୮ ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ବଦଳାଇଦେଇଛନ୍ତି। ହେଲେ ଆମେ ସମସ୍ତେ କେନ୍ଦ୍ରର ଅଧ୍ୟାଦେଶକୁ ଖାରଜ କରିପାରିବା। ଜନତା ସରକାର ଚୟନ କରିବା ପରେ ମଧ୍ୟ ଏହି ଲୋକମାନେ ସମ୍ବିଧାନର ମୌଳିକ ମୂଲ୍ୟବୋଧକୁ ଖଣ୍ଡନ କରିଛନ୍ତି। ଗଣତନ୍ତ୍ରକୁ କାର୍ଯ୍ୟକ୍ଷମ କରାଇଥିବା ଏହି ନିୟମକୁ ବିରୋଧ କରି ହେମନ୍ତ ସୋରେନ ମୋତେ ସମର୍ଥନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି ା ଅରବିନ୍ଦ କେଜ୍ରିଓ୍ବାଲ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଏଏପି ଏମ୍ପି ସଞ୍ଜୟ ସିଂ, ଏଏପି ଏମ୍ପି ରାଘବ ଚଡ୍ଡା ଏବଂ ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ଉପସ୍ଥିତ ଥିଲେ।
ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ୍ ସିଗନାଲ ଦେଇଥିଲେ ଷ୍ଟାଲିନ । ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି । ଗତ ମେ’ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର । ସରକାରୀ କର୍ଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଥିଲେ ।