ବାହାନଗାରେ କେମିତି ହେଲା ଭୟାବହ ଟ୍ରେନ ଦୁର୍ଘଟଣା

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍। ଦୁଇଟି ଟ୍ରେନ ପରସ୍ପରକୁ ଦୁଇଟି ପାଖାପାଖି ଟ୍ରାକରେ ପାର ହୋଇଥିବା ସମୟରେ ହଠାତ୍ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ବଗି ଦୁଇଟି ପାଖ ପାଖ ଟ୍ରାକରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ସହିତ ଜୋରରେ ମାଡ଼ ହୋଇଥିଲା। ତା’ପରେ କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଦୁର୍ଘଟଣାର ଶିକାର ‌ହୋଇ ଲାଇନଚ୍ୟୁତ ହୋଇ ରେଳଲାଇନ୍ ବାହାରକୁ ମାଡ଼ିଯାଇ ଖସିପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣା ସଂଧ୍ୟା ପ୍ରାୟ ୭. ୨୦ ମିନିଟରେ ଘଟିଥିବା ସୂଚନା ରହିଛି। ଦୁଇ ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହେବାରୁ ୫୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ମୃତକଙ୍କ ପରିଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେ ନିଜେ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛି । ଶୋକସନ୍ତପ୍ତ ପରିବାର ପରି ମୋର ସମବେଦନା ଏବଂ ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଭୁବନେଶ୍ୱର ଏବଂ କୋଲକାତାରୁ ଉଦ୍ଧାରକାରୀ ଟିମକୁ ପଠାଯାଇଛି । ଏନଡିଆରଏଫ, ରାଜ୍ୟ ଉଦ୍ଧାରକାରୀ ଟିମ୍ ଏବଂ ବାୟୁସେନାକୁ ନିୟୋଜିତ କରାଯାଇଛି । ଉଦ୍ଧାର ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବୁ ।

ଏହାରି ଭିତରେ ସ୍ଥିତି ବାବଦରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ ସ୍ଥିତ ବିଷୟରେ ବୁଝିଛନ୍ତି । ଏହାସହ ଆସନ୍ତକାଲି ଶନିବାର ଘଟଣାସ୍ଥଳ ଗସ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କାର୍ଯ୍ୟାଳୟରୁ ବାହାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥିତିର ବାବଦରେ ପଚାରି ବୁଝିଛି । ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତାକାଲି ସକାଳେ ମୁଁ ସେଠାରେ ପହଞ୍ଚିବି । ସେଠାରେ ପୂରା ଘଟଣାର ନୀରିକ୍ଷଣ କରାଯିବ । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ରହିଛି ।

ସେପଟେ ଏହି ଦୁର୍ଘଟଣା ପରେ ଖଡଗପୁର- ଭଦ୍ରକ ସେକ୍ସନର ବାହାନଗା ଦେଇ ଟ୍ରେନ ଆସିବା ସମ୍ଭବ ହୋଇନଥିବାରୁ ପ୍ରାୟ ୬ଟି ଟ୍ରେନକୁ ବାତିଲ କରାଯାଇଛି। ଆଉ ୫ଟି ଟ୍ରେନର ଗତିପଥ ବଦଳାଯାଇଛି। ୧୨୮୩୭ ପୁରୀ ଏକ୍ସପ୍ରେସ, ୧୨୮୬୩ ଯସବନ୍ତପୁର ଏକ୍ସପ୍ରେସ, ସାନ୍ତରାଗାଛି – ପୁରୀ ସ୍ପେଶାଲ ୦୨୮୩୭, ସାଲିମାର – ସମ୍ବଲପୁର ୨୦୮୩୧, ଚେନ୍ନାଇ ମେଲ ୧୨୮୩୯ ଟ୍ରେନ ବାତିଲ କରି ଦିଆଯାଇଛି। ସେହିପରି ୨୨୮୦୭ ନଂ. ବିସିକେ ଟ୍ରେନର ଗତିପଥ ବଦଳାଯାଇ ଟାଟା ପଟେ ଛଡାଯାଇଛି। ସେହିପରି ୨୨୮୭୩ ନଂ. ପିକେୟୁର ଗତିପଥକୁ ଟାଟା ଦେଇ ଛଡାଯାଇଛି। ସେହିପରି ୧୮୪୦୯ ନଂ. ୟୁଏଲବି ଟ୍ରେନର ଗତିପଥକୁ ଟାଟା ଦେଇ ବଦଳାଯାଇଛି। ସେହିପରି ଭଦ୍ରକ ପଟୁ ଯାଉଥିବା ୧୫୯୨୯ ଆରଏନଟିଏଲ ଟ୍ରେନକୁ ଭଦ୍ରକକୁ ଫେରାଇ ଅଣାଯାଇଛି ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି।