ବାହାନଗା ଟ୍ରେନ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟ ଶେଷ, ମୋଟ୍ ୨୬୧ ମୃତ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୬୧ଜଣକର ମୃତଦେହ ମିଳିଥିବା ବେଳେ ପ୍ରାୟ ୧୦୦୦ଜଣ ଆହତ ହୋଇଛନ୍ତି ବୋଲି ଉଦ୍ଧାର କାର୍ଯ୍ଯ ଶେଷ ହେବା ପରେ ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି। ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଏବେ ରେଳବାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ ପ୍ରଧାନମନ୍ତ୍ରୀ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ବାଲେଶ୍ୱର ହସ୍ପିଟାଲ ଯାଇ ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କ ସହ କଥା ହୋଇଛନ୍ତି । ଏହାସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତଙ୍କୁ ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କହିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ପିଏମ୍ କହିଛନ୍ତି, ଦୁର୍ଘଟଣାରେ ଅନେକ କିଛି ନା କିଛି ହରାଇଛନ୍ତି । ଏହା ଅତ୍ୟନ୍ତ ବେଦନାଦାୟକ । ମୁଁ ଅସହ୍ୟ ବେଦନା ଅନୁଭବ କରୁଛୁ । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ସମସ୍ତ ଉଦ୍ୟମ କରିବେ । ଯେଉଁ ପରିଜନମାନେ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ସହ ଏହି ଦୁଃଖର ପରିସ୍ଥିତିରେ ସରକାର ଠିଆ ହୋଇଛନ୍ତି ।

ପିଏମ୍ କହିଛନ୍ତି, ‘ସରକାରଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ଅଟେ । ସବୁ ପ୍ରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ବି ଏଥିପାଇଁ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହେବ । ଦୋଷୀଙ୍କୁ ଛଡାଯିବ ନାହିଁ’।

ଶୁକ୍ରବାର ସଂଧ୍ୟାରେ ବାହାନଗାରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ସାଲୀମାର-ଚେନ୍ନାଇ-ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଏକ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣା ହୋଇଥିଲା ।