ପୁରୀ, କଟକ ଓ ଭୁବନେଶ୍ବରରୁ କୋଲକାତାକୁ ମାଗଣା ବସ ସେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା ଯୋଗୁଁ ରେଳସେବା ବାଧାପ୍ରାପ୍ତ ହେବା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତା ପର୍ଯ୍ୟନ୍ତ ମାଗଣାରେ ବସ୍ ସେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଘୋଷଣା କରିଛନ୍ତି।
ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା ଯୋଗୁଁ କୋଲକାତାକୁ ନିୟମିତ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଫଳରେ ଲୋକମାନଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଯାହାର ଫାଇଦା ଉଠାଉଛନ୍ତି ବହୁ ଅସାଧୁ ବସ୍ ମାଲିକ । ଯାତ୍ରୀଙ୍କ ଠାରୁ ବସ୍ ଭଡା ମନଇଚ୍ଛା ନେଉଛନ୍ତି । ଯେଉଁ କାରଣରୁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ।
ଏହି ଯାତାୟତରେ ଯେଉଁ ଖର୍ଚ୍ଚ ହେବ, ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ। ବାଲେଶ୍ବର ଲାଇନ୍ରେ ଟ୍ରେନ୍ ସେବା ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ବାରା ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ମାଗଣାରେ ବସ୍ ଚଳାଚଳ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)କୁ ଅନୁମତି ଦିଆଯାଇଛି। ଯାତ୍ରୀମାନେ ଏହି ବସ୍ ମାଧ୍ୟମରେ କୋଲକାତାକୁ ମାଗଣାରେ ବସ୍ରେ ଯାତ୍ରା କରିପାରିବେ।
ଯେଉଁ ଯାତ୍ରୀମାନେ କୋଲକାତା ଯିବା ପାଇଁ ପୂର୍ବରୁ ଟିକେଟ୍ କିଣି ସାରିଛନ୍ତି, ସେମାନେ ଏହାକୁ ବସ୍ଷ୍ଟାଣ୍ଡରେ ସେମାନଙ୍କର ଯାତ୍ରା ପୂର୍ବରୁ ଫେରାଇ ଦେଇ ପାରିବେ। ଯାତ୍ରୀମାନେ ହେଲ୍ପଲାଇନ୍ ଜରିଆରେ ବସ୍ ଯାତ୍ରା ସଂପର୍କିତ ତଥ୍ୟ ହାସଲ କରିପାରିବେ। ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା ୮୮୯୫୭୫୪୨୬୨ (ଭୁବନେଶ୍ବର ବସ୍ ସଂଘ), ୯୮୬୧୦୯୫୭୬୨ (ପୁରୀ ବସ୍ ସଂଘ), ୯୪୩୯୨୨୨୪୪୪ (ରାଜଧାନୀ ବସ୍ ମାଲିକ ସଂଘ) ଓ ୭୦୦୮୩୨୧୩୯୯ ଏବଂ ୯୪୩୭୦୦୦୭୪୯ (କଟକ ବସ୍ ସଂଘ) ଏତଦ୍ ବ୍ୟତୀତ ଯାତ୍ରୀମାନେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହ ୯୪୩୭୯୪୦୩୯୯ (କଟକ), ୯୯୩୭୫୨୩୦୩୪ (ପୁରୀ), ୯୪୩୮୧୫୫୯୯୯ (ଭୁବନେଶ୍ବର-୧) ଓ ୯୪୩୮୫୩୩୦୦୦ (ଭୁବନେଶ୍ବର-୨) ସହିତ ଯୋଗାଯୋଗ କରିପାରିବେ।