ବାହାନଗା ଟ୍ରେନ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୮୮ ନୁହଁ, ୨୭୫ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର (ସଂକେତ୍ ଟିଭି) ବାହାନଗା ଟ୍ରେନ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୭୫ । କିଛି ମୃତଦେହ ଦୁଇ ଥର ଗଣା ହୋଇ ଯାଇଥିଲା । ଏଥିପାଇଁ ଗତକାଲି ଏହା ସରକାରୀ ଭାବେ ୨୮୮ ଥିବା କୁହାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କିଛି ମୃତଦେହ ‘ଡବଲ କାଉଣ୍ଟିଙ୍ଗ’ ବା ଦୁଇଥର ଗଣତି ହୋଇ ଯାଇଥିଲା । ର୍ତ୍ତମାନ ସବୁକୁ ତନଖି କରି ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାକି ୧୮୭ ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏଭିତରୁ ୧୭୦ଟି ମୃତଦେହ ଭୁବନେଶ୍ୱର ଅଣାଯାଇଛି । ବାକି ୧୭ଟି ମୃତଦେହ ଭୁବନେଶ୍ୱର ଅଣାଯାଉଛି ।
ସମସ୍ତ ମୃତଦେହକୁ ଚିହ୍ନଟ ପାଇଁ ଫଟୋ ଜାରି କରାଯାଇଛି । ସୂଚନା ଲାଗି ମୃତକଙ୍କ ପରିଜନ 1800-345-00-61 ଟ୍ରୋଲ ଫ୍ରି ନମ୍ବରରେ କଲ୍ କରିପାରିବେ । ସରକାରୀ ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ । ହେଲପଲାଇନ୍ ନମ୍ବର 1929 କେବଳ ଓଡ଼ିଶା ଲୋକଙ୍କ ପାଇଁ ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ୩୮୨ ଆହତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି