ସିଗନାଲ ତ୍ରୁଟି ଯୋଗୁଁ ଘଟିଲା ବାହାନଗା ଟ୍ରେନ ଦୁର୍ଘଟଣା : ରେଳବାଇ ବୋର୍ଡ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା କେବଳ ସିଗନାଲ ତ୍ରୁଟି ଯୋଗୁଁ ହୋଇଛି । ବାହାନଗା ଷ୍ଟେସନରେ ମାଲବାହୀ ଟ୍ରେନ ଲୁପ୍ ଲାଇନରେ ଛିଡ଼ା ହୋଇଥିଲେ ହେଁ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ୍ ସିଗ୍ନାଲ ମିଳିଥିଲା। ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ ଚେଞ୍ଜ କରି ଉକ୍ତ ମାଲଗାଡିକୁ ଧକ୍କା ଦେଇଥିଲା । ଉଭୟ ମାଲଗାଡି ଓ କରମଣ୍ଡଳର ଏକାଧିକ ବଗି ପାର୍ଶ୍ବବର୍ତ୍ତୀ ଟ୍ରାକକୁ ଛିଟିକି ପଡିଥିଲେ । ତେଣୁ ଦ୍ବିତୀୟ ଦୁର୍ଘଟଣା ସ୍ବରୂପ ହାଓ୍ବଡାଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ କରମମଣ୍ଡଳର କ୍ଷତିଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା । ରେଳବାଇ ବୋର୍ଡ ପକ୍ଷରୁ ଆୟୋଜିତ ପ୍ରେସମିଟରେ ଆଜି ଏହି ସୂଚନା ଦିଆଯାଇଛି ।
ଦିଲ୍ଲୀରେ ଏକ ପ୍ରେସମିଟରେ ସୂଚନା ଦେଇ ରେଳବାଇ ବୋର୍ଡର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି ଏହା ଏକ ସିଗନାଲ ସମସ୍ୟା ସମ୍ପର୍କିତ ତ୍ରୁଟି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ଏହାର ତଦନ୍ତ ଜାରି ରହିଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ କରମଣ୍ଡଳ ପ୍ରଥମେ ଧକ୍କା ଦେଇଛି । ମାଲଗାଡିରେ ଲୁହାପଥର ବୋଝେଇ ହୋଇଥିଲା । କରମଣ୍ଡଳର ଘଣ୍ଟା ପ୍ରତି ବେଗ 128 କିମି ଥିଲା । ତେଣୁ କରମଣ୍ଡଳ ଏକ୍ସପ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଡାଉନ ଲାଇନରେ ଯଶୋବନ୍ତପୁର ହାଓ୍ବାଡା ଏକ୍ସପ୍ରେସ 126 କିମି ଘଣ୍ଟାପ୍ରତି ବେଗରେ ଆସୁଥିବା ବେଳେ କରମଣ୍ଡଳ କ୍ଷତିଗ୍ରସ୍ତ ବଗି ସହ ଧକ୍କା ଖାଇଥିଲା । ଫଳରେ ଏହାର 2 ବଗି ଲାଇନଚ୍ୟୁତ ହୋଇଥିଲା ।
ସେହିପରି ସେ ଦୁର୍ଘଟଣାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋପାଇଲଟଙ୍କ ଠାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଇଛି । ଗ୍ରୀନ ସିଗନାଲ ପାଇବା ପରେ କରମଣ୍ଡଳ ଏକ୍ସପ୍ରେସ ନିର୍ଦ୍ଧାରିତ ଗତିରେ ଆଗକୁ ବଢିଥିଲା । ଗାଡିଟି ମଧ୍ୟ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ନଥିଲା କିମ୍ବା କୌଣସି ସିଗନାଲକୁ ଜମ୍ପ ମଧ୍ୟ କରିନଥିଲା । ତେବେ ପୁରା ଅଘଟଣ କେବଳ ସିଗନାଲ ତ୍ରୁଟି ଯୋଗୁଁ ହୋଇଛି । ଏହି ଘଟଣାରେ ଏବେ ତଦନ୍ତ ଜାରି ରହିଛି ।