ବାହାନଗା ଟ୍ରେନ ଟ୍ରାଜେଡି : ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସର୍ବୋଚ୍ଚ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଦ୍ବାରା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଦୁର୍ଘଟଣାର ତଦନ୍ତ ବ୍ୟତୀତ ରେଳସେବାରେ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ବ୍ୟବସ୍ଥା ବା ‘କବଚ ସିଷ୍ଟମକୁ ତ୍ବରାନ୍ବିତ ଭିତ୍ତିରେ ପୁରା ଦେଶର ରେଳ ନେଟଓ୍ବାର୍କରେ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି ।
ସୁପ୍ରିମ୍ କୋର୍ଟରେ ଓକିଲାତି କରୁଥିବା ଆଡ୍ଭୋକେଟ୍ ବିଶାଳ ତିୱାରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ବୈଷୟିକ ଜ୍ଞାନ ଥିବା ସଦସ୍ୟମାନଙ୍କୁ ନେଇ ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ । ଏହି କମିଟି ସମ୍ପ୍ରତି ରେଳବାଇ ବ୍ୟବସ୍ଥାରେ ଥିବା ମାନ ଓ ବିପଦର ସମୀକ୍ଷା କରିବା ସହିତ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ପ୍ରସ୍ତାବ ଦେବ। ଏହାଛଡ଼ା, ଏହି କମିଟି ଅଦାଲତରେ ତା’ର ରିପୋର୍ଟ ଦାଖଲ କରିବ ।