ବାହାନଗା ରେଳ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ବର (ସଂକେତ୍ ଟିଭି) ରେଳ ମନ୍ତ୍ରାଳୟର ଅନୁରୋଧକ୍ରମେ ତଥା କେନ୍ଦ୍ର ସରକାରଙ୍କ ନିର୍ଦେଶରେ ବାହାନଗା ରେଳ ଦୁର୍ଘଟଣା ସମ୍ବନ୍ଧରେ ସିବିଆଇ ଏକ ମାମଲା ରୁଜୁ କରିଛି । ଜିଆରପି କଟକ ଦ୍ବାରା ବାଲେଶ୍ବର ଜିଆରପି ଥାନାରେ ରୁଜୁ ହୋଇଥିବା ମାମଲା ଏବେ ସିବିଆଇ ତଦନ୍ତ କରିବ । ସେହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏନେଇ ଆଜି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ସିବିଆଇର ଟିମ ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିବିଆଇ ସହ ସେଣ୍ଟ୍ରାଲ ଫରେନସିକର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ଟିମ୍ ବିଶେଷ ଭାବେ ଲୁପ୍ ଲାଇନ ଓ ମେନ ଲାଇନକୁ ଯାଇ ତଦନ୍ତ କରୁଛି । ଦୁର୍ଘଟଣା ପଛରେ ଇଣ୍ଟରଲକିଂରେ ସମସ୍ୟା ନା ଅନ୍ୟ କ ଣ ରହିଛି ସେ ସବୁ ଦିଗରୁ ତଦନ୍ତ ହେବ । ସିବିଆଇ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି ।

ଗତ ଶୁକ୍ରବାର ରାତିରେ ବାଲେଶ୍ବର ବାହାନଗା ବଜାର ଷ୍ଟେସନ ନିକଟରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୨୭୮ ଜଣଙ୍କ ଜୀବନ ଯିବା ସହ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏବେ ହସ୍ପିଟାଲରେ ୨୦୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଶତାଧିକ ମୃତକଙ୍କ ପରିଚୟ ମିଳିପାରିନି । ଯାହାକି ରେଳ ବିଭାଗ ପାଇଁ ବଡ଼ ସମସ୍ୟା ହୋଇଛି । ବିଭିନ୍ନ ହସ୍ପିଟାଲରେ ମୃତଦେହଗୁଡିକ ପଡ଼ି ରହିଛି ।

ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଥିଲେ, ସିବିଆଇ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ସେମାନେ ତାଙ୍କ ବାଟରେ ତଦନ୍ତ କରିବେ।

ସେ ଆହୁରି କହିଛନ୍ତି, ବାଲେଶ୍ବର ଜିଲ୍ଲା ବାହାନଗାରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ସ୍ପେଶାଲ ଟ୍ରେନ ମଧ୍ୟ ଚଲା ହୋଇ ସାରିଲାଣି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି। ସମ୍ପୂର୍ଣ୍ଣ ଠିକ ଭାବରେ ଟ୍ରେନ ଚଲାଚଳ ଚାଲିଛି। ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା।