ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ ନୁହେଁ ୨୮୮: ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର (ସଂକେତ୍ ଟିଭି) ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ବେଳେ ଆଜି ୨୮୮ ଜଣ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ପ୍ରଥମେ ସରକାରଙ୍କ ପକ୍ଷରୁ ୨୭୫ କୁହାଯାଇଥିଲା, ପରେ ଆମେ ବିଭିନ୍ନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲୁ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସ୍ପଷ୍ଟ ହୋଇଛି ।
ସେ କହିଛନ୍ତି ଯେ ଆମେ ଏହି ଦୁର୍ଘଟଣାରେ ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପଠାଯାଇଥିବା ମେଡିକାଲ ସହ ସେହି ଜିଲ୍ଲାମାନଙ୍କର ଜିଲ୍ଲାପାଳଙ୍କୁ ଚୁଡାନ୍ତ ରିପୋର୍ଟ ମାଗିଥିଲୁ। ଏହି ରିପୋର୍ଟ ମିଳିବା ପରେ ଆମେ ଆଜି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରୁଛୁ। ଦୁର୍ଘଟଣା ସ୍ଥଳରୁ ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା । ବାଲେଶ୍ୱରରେ ହିଁ ୯୪ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୮୮ ମୃତକଙ୍କ ମଧ୍ୟରୁ ୨୦୫ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ୮୩ଟି ମୃତଦେହ ଏଯାଏଁ ଚିହ୍ନଟ ହୋଇନି ବୋଲି ମୁଖ୍ୟ ଶାସନ କହିଛନ୍ତି।
ଅନ୍ୟପଟେ ଦୁର୍ଘଟଣା ପରେ ଭୁବନେଶ୍ବର ଅଣାଯାଇଥିବା ୧୯୩ଟି ମୃତଦେହ ମଧ୍ୟରୁ ୧୧୦ଟି ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ୮୩ଟି ମୃତଦେହ ଏଯାଏଁ ଚିହ୍ନଟ ହୋଇନି। ସେସବୁର ଡିଏନ୍ଏ ସାମ୍ପଲ ରଖାଯାଇଛି । କିଛି ମୃତଦେହର ଅବସ୍ଥା ଯାହା ତାହା ଚିହ୍ନିବା ପାଇଁ ସମସ୍ୟା ରହିଛି। ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ମୁଖ୍ୟ ଶାସନ ସଚିବ ବୋଲି କହିଛନ୍ତି ।