ବଢ଼ିଲା ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ (ସଂକେତ୍ ଟିଭି) କେନ୍ଦ୍ର ସରକାର ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି । ସେହିପରି କେନ୍ଦ୍ର ସରକାର ସୂର୍ଯ୍ୟମୁଖୀ କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ଏବଂ ମଧ୍ୟମ ଧରଣ କପା ଉପରେ କ୍ବିଣ୍ଟାଲ ପିଛା ୫୪୦ ଟଙ୍କା ଏବଂ ଲଙ୍ଗ୍ କଟନ ଉପରେ ୬୪୦ ଟଙ୍କା ବୃଦ୍ଧି କରିଛନ୍ତି ।

ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ଅନେକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏହା ଭିତରୁ ଧାନ, ସୂର୍ଯ୍ୟମୁଖୀ ଓ କପାର ସହାୟକ ମୂଲ୍ୟ ବୃଦ୍ଧି ଅନ୍ୟତମ ରହିଛି । ୨୦୨୨-୨୩ ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ଏହି ମୂଲ୍ୟ ବୃଦ୍ଧି ପରେ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୨,୧୮୩ ଟଙ୍କାରେ ପହଞ୍ଚିଛି । ସେହିପରି ସେହିପରି ଗ୍ରେଡ୍-A ଧାନ ୨୦୬୦ ଟଙ୍କାରୁ ବୃଦ୍ଧି ପାଇ ୨୨୦୩ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀର କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ କ୍ବିଣ୍ଟାଲ ପିଛା ୬, ୪୦୦ ଟଙ୍କା ରହିଥିଲା । କ୍ୟାବିନେଟ୍ ମୋହର ବାଜିବା ପରେ ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬,୭୬୦ଟଙ୍କାରେ ପହଞ୍ଚିଛି । ସେହିପରି ମଧ୍ୟମ ଧରଣ କପାର ସର୍ବନିମ୍ନ ସହାୟକ ମୂଲ୍ୟ ୬,୦୮୦ ଟଙ୍କାରୁ ବୃଦ୍ଧି ପାଇ ୬,୬୨୦ ଟଙ୍କାରେ ପହଞ୍ଚିଛି । ଲଙ୍ଗ ସ୍ପାପଲ କପାର ଏମଏସପି ୬,୩୮୦ ଟଙ୍କାରୁ ୭, ୦୨୦ ଟଙ୍କାରେ ପହଞ୍ଚିଛି ।