ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ (ସଂକେତ୍ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଖାଉଟି ମୁଦ୍ରାସ୍ଫୀତି ଚାପ ହ୍ରାସ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌ ୬.୨୫% ରହିଥିବା ବେଳେ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଏବଂ ବ୍ୟାଙ୍କ୍‌ ରେଟ୍‌ ୬.୭୫% ରହିଛି।

୨୦୨୨ ମେ ମାସରେ ଏମପିସିର ଜରୁରୀ ବୈଠକରେ ରେପୋରେଟ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କ୍ରମାଗତ ଭାବେ ଚାରି ମାସରେ ୬ ଥର ରେପୋ ରେଟ ବଢ଼ାଇଥିଲା ରିଜର୍ଭ ବ୍ୟାଙ୍କ। ଖୁଚୁରା ମୁଦ୍ରାସ୍ଫୀତି ଓ ଆର୍ଥିକ ବୃଦ୍ଧିକୁ ଧ୍ୟାନରେ ରଖି ରେପୋରେଟ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଥାଏ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଜିଡିପି ବୃଦ୍ଧି ହାର ୮ ପ୍ରତିଶତ, ଦ୍ବିତୀୟ ତୈମାସିକରେ ୬.୫ ପ୍ରତିଶତ, ତୃତୀୟ ତୈମାସିକରେ ୬ ପ୍ରତିଶତ ଓ ଚତୁର୍ଥ ତୈମାସିକରେ ୫.୭ ପ୍ରତିଶତ ରହିପାରେ ବୋଲି ଆରବିଆଇ ଅନୁମାନ କରିଛି।