ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ଶିଶୁ ୪୦ ଦିନ ପରେ ଆମାଜନ୍‌ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର

ବଗୋଟା (ସଂକେତ୍ ଟିଭି) ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ପରେ ଆମାଜନ୍‌ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଛି । କଲମ୍ବିଆରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ମେ’ ୧ତାରିଖରେ ୭ଜଣ ଯାତ୍ରୀଙ୍କୁ ନେଇ ଗୋଟାଏ କ୍ଷୁଦ୍ର ବିମାନ ସେସନା-206 ବିମାନ କଲମ୍ବିଆ ଏୟାରସ୍ପେସରୁ ଉଡ଼ାଣ ଭରି ଆମାଜନ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ପାଇଲଟ୍ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମୃତଦେହ ମଧ୍ୟ ଜବତ କରାଯାଇଥିଲା, ହେଲେ ୪ଜଣ ଛୋଟ ପିଲା ବିମାନ କ୍ରାସ ପରେ ନିଖୋଜ ହୋଇଯାଇଥିଲେ । ନିଖୋଜ ହୋଇଯାଇଥିବା ପିଲାମାନେ ମୂଳତଃ ‘ୟୁଟୋଟୋ’ ଆଦିମ ଅଧିବାସୀ ଶ୍ରେଣୀର ଏବଂ ସେମାନଙ୍କର ବୟସ ହେଉଛି ଯଥାକ୍ରମେ:- ୧୩, ୯, ୪ ଓ ୧ ବର୍ଷ। ଦୁର୍ଘଟଣା ପରଠାରୁ ସେମାନେ ଘନଜଙ୍ଗଲରେ ଫଳମୂଳ ଖାଇ ସାହାଯ୍ୟ ଆଶାରେ ଲକ୍ଷ୍ୟହୀନ ଭାବେ ବୁଲୁଥିଲେ।

ବିମାନ ଦୁର୍ଘଟଣା ପରେ ସେନାର ଯବାନମାନେ ୪ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଚଳାଇଥିଲେ । ସେମାନେ ମାଟିରେ ଛୋଟ ପାଦଚିହ୍ନ ଦେଖିବା ପରେ ସେମାନେ ବଞ୍ଚିଥିବେ ବୋଲି ଆଶା ପ୍ରକାଶ କରିଥିଲେ। ଏବେ ୪ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ମିଳିଛନ୍ତି । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାବୀ ପେଟ୍ରୋ ଏନେଇ ସୂଚନା ଦେବା ସହିତ ଆମାଜନ ଜଙ୍ଗଲର କୌକ୍ବେଟା ଏବଂ ଗଓ୍ବାବିୟାର ପ୍ରାନ୍ତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା କହିଛନ୍ତି ।

ଫଟୋରେ କଙ୍କାଳସାର ହୋଇଯାଇଥିବା ପରି ଦିଶୁଥିବା ୪ ଭାଇଭଉଣୀଙ୍କୁ ତଲାସକାରୀମାନେ ଏକାଠି ଥିବା ଅବସ୍ଥାରେ ପାଇଥିଲେ। ଏବେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାବୀ ପେଟ୍ରୋ ସାମ୍ବାଦିକମାନଙ୍କୁ କହିଛନ୍ତି।